ସନାତନ ଧର୍ମର ଏକ ପ୍ରମୁଖ ପର୍ବ ହେଉଛି ଧନତେରସ । କିନ୍ତୁ ଏହି ପର୍ବ କାହିଁକି ପାଳନ କରାଯାଏ ? ଏନେଇ ଖୁବ୍ କମ ଲୋକ ଜାଣିଥିବେ । ଧନତେରସ ଦିନ ଅଧିକାଂଶ ଲୋକ ସୁନା-ଚାନ୍ଦୀର ଅଳଙ୍କାର ମାନ କିଣିଥାନ୍ତି । କିନ୍ତୁ କାହିଁକି? କାରଣ କଣ? ତେବେ ଏନେଇ ଆସନ୍ତୁ ଜାଣିବା …
କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପାଳନ କରାଯାଏ । ଏହିଦିନ ଲୋକେ ନୂତନ ବାସନ ଏବଂ ସୁନା ଓ ଚାନ୍ଦିର ଅଳଙ୍କାରମାନ କିଣିଥାନ୍ତି ।
ବିଶ୍ୱାସ ରହିଛି କି ଏହିଦିନ ସମୁଦ୍ର ମନ୍ଥନ ଅବସରରେ , ଅମୃତ କଳଶ ନେଇ ଭଗବାନ ବିଷ୍ଣୁ ହିଁ ଧନବନ୍ତରୀ ରୂପେ ପ୍ରକଟ ହୋଇଥିଲେ । ଏଥିପାଇଁ ଏହି ଦିନକୁ ଧନତେରସ ରୂପେ ପାଳନ କରାଯାଏ ।
ଧାର୍ମିକ ମାନ୍ୟତା ଅନୁସାରେ , ଧନବନ୍ତରୀ ପ୍ରକଟ ହେବାର ଦୁଇ ଦିନ ପରେ ମା’ଲକ୍ଷ୍ମୀ ପ୍ରକଟ ହୋଇଥିଲେ । ସେଥିପାଇଁ ଦୀପାବଳୀର ଦୁଇ ଦିନ ପୂର୍ବରୁ ଧନତେରସ ପାଳନ କରାଯାଏ । ଏହିଦିନସ୍ୱାସ୍ଥ୍ୟ ରକ୍ଷା ପାଇଁ ଧନବନ୍ତରୀଙ୍କ ଉପାସନା କରାଯାଏ । ସେହିପରି ଏହିଦିନକୁ କୁବେରଙ୍କ ଦିନ ମଧ୍ୟ କୁହାଯାଏ ଏବଂ ଧନ ବୃଦ୍ଧି ପାଇଁ କୁବେରଙ୍କ ପୂଜା କରାଯାଏ ।
ଆସନ୍ତୁ ଜାଣିବା ଧନତେରସର ପୌରାଣିକ କଥା:-
ଗୋଟେ ଦିନ ଭଗବାନ ବିଷ୍ଣୁ ମୃତ୍ୟୁଲୋକରେ ବିଚରଣ କରିବା ପାଇଁ ବାହାରିଥିଲେ ସେହି ସମୟରେ ତାଙ୍କ ସହ ଯିବା ପାଇଁ ଆଗ୍ରହ୍ୟ କରିଥିଲେ ମାତା ଲକ୍ଷ୍ମୀ । ଏହାପରେ ମାତା ଲକ୍ଷ୍ମୀଙ୍କୁ ଭଗବାନ ବିଷ୍ଣୁ କହିଲେ କି, ମୁଁ ଆପଣଙ୍କୁ ଯାହା କହିବି ଯଦି ଆପଣ ମାନିବେ ତେବେ ଯାଇ ଆପଣ ମୋ ସହ ଯାଇ ପାରିବେ । ଭଗବାନ ବିଷ୍ଣୁଙ୍କ କଥାରେ ରାଜି ହୋଇଗଲେ ମାତା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କ ସହ ବିଚରଣ ପାଇଁ ବାହାରିଲେ ।
କିଛି ସମୟ ପରେ ଏକ ସ୍ଥାନରେ ଲକ୍ଷ୍ମୀଙ୍କୁ ଭଗବାନ ବିଷ୍ଣୁ କହିଲେ କି, ଯେପର୍ୟ୍ୟନ୍ତ ମୁଁ ନଆସିଛି ତୁମେ ଏହି ସ୍ଥାନରେ ଛିଡା ହୋଇଥିବ । ମୁଁ ଏବେ ଦକ୍ଷୀଣ କୋଣ ଆଡକୁ ଯାଉଛି । ତୁମେ ସେଠାକୁ ଯିବ ନାହିଁ । ଏତିକି କହି ସେଠାରୁ ଚାଲିଗଲେ ଭଗବାନ ବିଷ୍ଣୁ । ଏହାପରେ ମାତା ଲକ୍ଷ୍ମୀଙ୍କ ମନରେ ଏକ କୌତୁହଳ ଜାଗ୍ରତ ହେଲା । ପ୍ରକୃତରେ ଦକ୍ଷୀଣ କୋଣରେ ଏଭଳି କଣ ରହସ୍ୟ ଅଛି । ଯେଉଁଥିପାଇଁ ମୋତେ ମନା କରାଗଲା, ଏବଂ ଭଗବାନ ସ୍ୱୟଂ ଚାଲିଗଲେ ।
ଏହାର କାରଣ ଜାଣିବା ପାଇଁ ଏହାପରେ ମାତା ଲକ୍ଷ୍ମୀ ଆଉ ରହି ପାରିଲେ ନାହିଁ । ଭଗବାନ ବିଷ୍ଣୁଙ୍କ ପଛେ ପଛେ ଚାଲିଲେ । କିଛି ବାଟ ଯିବା ପରେ ଫୁଲରେ ଭରପୁର ଏକ ସୋରିଶ କ୍ଷେତ ଦେଖିବାକୁ ପାଇଲେ । ଏହାକୁ ଦେଖି ମନ୍ତ୍ରମୁଗ୍ଧ ହୋଇପଡିଲେ ମାତା ଲକ୍ଷ୍ମୀ । ଏହାପରେ ସୋରିଷ ଫୁଲକୁ ଛିଣ୍ଡାଇ ଶୃଙ୍ଗାର କରିବା ପରେ ଆଗକୁ ବଢିଲେ । ଆଗକୁ ବଢିବା ପରେ ମାତା ଲକ୍ଷ୍ମୀଙ୍କର ନଜର ପଡିଲା ଏକ ଆଖୁ କ୍ଷେତ ଉପରେ । ସେଠାରୁ ଆଖୁ ଭାଙ୍ଗି ଚୋବାଇବାକୁ ଲାଗିଲେ । ସେହି କ୍ଷଣି ଭଗବାନ ବିଷ୍ଣୁ ସେଠାରେ ପହଁଚି ମାତା ଲକ୍ଷ୍ମୀଙ୍କ ଉପରେ ରାଗିଗଲେ ଏବଂ ତାଙ୍କୁ ଶ୍ରାପ ଦେଇ କହିଲେ କହିଲେ କି, ମୁଁ ତୁମକୁ ଏଠାକୁ ଆସିବା ପାଇଁ ମନା କରିଥିଲି । କିନ୍ତୁ ତୁମେ ମାନିଲ ନାହିଁ ଏବଂ କୃଷକଙ୍କ କ୍ଷେତରୁ ଚୋରୀ କରି ଅପରାଧ କରି ବସିଲ । ଏବେ ତୁମେ ଏହି ଅପରାଧ ଅଭିଯୋଗରେ ୧୨ ବର୍ଷ ପର୍ୟ୍ୟନ୍ତ କୃଷକଙ୍କ ସେବା କରିବ । ଏହାକହି ମାତା ଲକ୍ଷ୍ମୀଙ୍କୁ ଛାଡି କ୍ଷୀରସାଗରକୁ ଚାଲିଗଲେ ଭଗବାନ ବିଷ୍ଣୁ । ଏହାପରେ ଗରିବ କୃଷକଙ୍କ ଘରେ ରହିଲେ ମାତା ଲକ୍ଷ୍ମୀ ।
ଗୋଟେଦିନ ମାତା ଲକ୍ଷ୍ମୀ ସେହି କୃଷକଙ୍କ ପତ୍ନୀଙ୍କୁ କହିଲେ କି , ତୁମେ ସ୍ନାନ କରି ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ରୋଷେଇ କର । ଏହାପରେ ତୁମେ ଯାହା ମାଗିବ ତୁମକୁ ମିଳିବ । କୃଷକର ପତ୍ନୀ ଠିକ୍ ସେହିଭଳି ପୂଜା କଲେ । ଏହାପରେ ପୂଜାର ପ୍ରଭାବ ଏବଂ ଲକ୍ଷ୍ମୀଙ୍କ କୃପାରୁ କୃଷକର ଘର ଧନ , ରତ୍ନ ଆଦିରେ ପରିପୂର୍ଣ୍ଣ ହୋଇଗଲା । ସେହିପରି କୃଷକର ଘର ୧୨ ବର୍ଷ ଯାଏଁ ବଡ ଆନନ୍ଦରେ କଟିଗଲା । ୧୨ ବର୍ଷ ପୁରଣ ହେବା ପରେ ଲକ୍ଷ୍ମୀଙ୍କୁ ନେବାକୁ ଆସିଲେ ଭଗବାନ ବିଷ୍ଣୁ । କିନ୍ତୁ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କୁ ଛାଡିବାକୁ ମନା କରିଦେଲେ କୃଷକ ଜଣକ । ଏହାପରେ ଭଗବାନ ବିଷ୍ଣୁ କହିଲେ କି ତାଙ୍କୁ କିଏ ଯିବାକୁ ଦେବ । ଏ ତ ଚଞ୍ଚଳା । ସେ କେଉଁଠି ରହିବେ ନାହିଁ । ତାଙ୍କୁ କେହି ରୋକି ପାରି ନାହାନ୍ତି । କେବଳ ମୁଁ ତାଙ୍କୁ ଶ୍ରାପ ଦେଇଥିଲି ବୋଲି ସେ ୧୨ ବର୍ଷ କାଳ ତୁମର ସେବା କରୁଥିଲେ । ଏବେ ତୁମର ୧୨ ବର୍ଷ ସେବାର ସମୟ ପୁରଣ ହୋଇ ସାରିଛି । ଏହାପରେ କୃଷକ ଜଣକ କହିଲେ କି ନା ମୁଁ ମାତା ଲକ୍ଷ୍ମୀଙ୍କୁ ଯିବାକୁ ଦେବିନି । ଆପଣ କୌଣସି ଅନ୍ୟ ପତ୍ନୀ ଏଠାରୁ ନେଇ ଯାଆନ୍ତୁ । ସେତେବେଳେ ମାତା ଲକ୍ଷ୍ମୀ କହିଲେ କି ହେ କୃଷକ, ତୁମେ ମୋତେ ରଖିବାକୁ ଚାହୁଁଚ ଯଦି ମୁଁ ଯାହା କହୁଛି ସେଇଆ କର । କାଲି ତେରସ । ମୁଁ ତୁମ ପାଇଁ ଧନତେରସ ମନେଇବି । ତୁମେ କାଲି ଘରକୁ ଲିପା ପୋଛା କରି ସ୍ୱଚ୍ଛ କରିଦେବ । ରାତିରେ ଘିଅ ଦୀପ ଜଳାଇ ରଖିବ ଏବଂ ମୋର ପୂଜା କରିବ । ଏହାପରେ ଗୋଟେ ତମ୍ବା କଳସରେ ଟଙ୍କା ଭରି ମୋ ନାମରେ ରଖିବ । ମୁଁ ସେହି କଳଶରେ ନିବାଶ କରିବି କିନ୍ତୁ ପୂଜା ସମୟରେ ମୁଁ ତୁମକୁ ଦେଖାଦେବି ନାହିଁ । ଏହିଦିନ ପୂଜା କରିବା ଦ୍ୱାରା ମୁଁ ବର୍ଷ ସାରା ତୁମ ଘରୁ ଯିବି ନାହିଁ । ଯଦି ମୋତେ ତୁମ ଘରେ ସଦାସର୍ବଦା ରଖିବାକୁ ଚାହୁଁଛ ତେବେ ପ୍ରତିବର୍ଷ ଧନତେରସରେ ମୋର ପୂଜା କରିବ । ଏତିକି କହି ଦୀପର ପ୍ରକାଶ ସହ ଚାରିଆଡକୁ ଖେଳିଗଲେ ମାତା ଲକ୍ଷ୍ମୀ ।