ଭୁବନେଶ୍ୱର(ଏଟିଆର ବ୍ୟୁରୋ): ୟୁଜିସି ମାନ୍ୟତା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଟ୍ୱିଟ କରି ସୂଚନା ଦେଇଛନ୍ତି । ୟୁଜିସି ଅଧିନିୟମ-୧୯୫୬, ଧାରା ୨ (ଏଫ୍) ଅନୁଯାୟୀ, କମିଶନ ବିଶ୍ୱବିଦ୍ୟାଳୟର ମାନ୍ୟତା ସେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ।
ଧମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ନିଷ୍ପତ୍ତି ଦ୍ୱାରା ଜନବହୁଳ ଅଞ୍ଚଳ କଳାହାଣ୍ଡି ସମେତ ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ ଏପଂ ଏହା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷାନୀତି ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରାଇବ ବୋଲି ଆଶାପ୍ରକାଶ କରିଛନ୍ତି ।ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁମୋଦନ ଦିଆଯିବ ।
ଭବାନୀପାଟଣାସ୍ଥିତ ସରକାରୀ ସ୍ୱୟଂଶାସିତ କଲେକକୁ ଉନ୍ନୀତ କରାଯାଇ ୨୦୧୯ ଜୁନ୍ ପହିଲାରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଭାବେ କାର୍ୟ୍ୟକ୍ଷମ କରାଯାଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର କଲେଜଗୁଡ଼ିକୁ ଏହି ପ୍ରସ୍ତାବିତ ନବଗଠିତ ବିଶ୍ୱବିଦ୍ୟାଳୟ ଅଧୀନକୁ ଅଣାଯାଇଥିଲା।
୨୦୧୯ ମାର୍ଚ୍ଚ ୬ତାରିଖରେ ଉଚ୍ଚଶିକ୍ଷା ନୀତି ଆଧାରରେ ଏହି ନୂଆ ବିଶ୍ୱବିଦ୍ୟାଳୟ ଗଠନ ନିମନ୍ତେ ସରକାର ପଦକ୍ଷେପ ନେବା ପରେ ଏହା ବିଶ୍ୱବିଦ୍ୟାଳୟ ରୂପେ କାର୍ୟ୍ୟକ୍ଷମ ହୋଇଥିଲା। । ଏବେ ଏହାକୁ ୟୁଜିସି ମାନ୍ୟତା ମିଳିବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ କରାଯାଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।