ମୟୂରଭଞ୍ଜ (ଏଟିଆର ବ୍ୟୁରୋ); ଚିକିତ୍ସା ଅଭାବରୁ ଚାଲିଗଲା ମହିଳାଙ୍କ ଜୀବନ । ଶେଷର ମୃତଦେହକୁ ନେବା ପାଇଁ ମଧ୍ୟ ମିଳିନଥିଲା ମହାପରାୟଣ ଗାଡି । ପରିବାର ଲୋକ ବାଧ୍ୟ ହୋଇ ଶବକୁ ଦୁଇ କିଲୋମିଟର ବୋହି ବୋହି ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ । ନିଜର ଦୁଃଖ ଜଣାଇବା ପାଇଁ ଯାଉଥିବା ଅସହାୟଙ୍କୁ କାର୍ଯ୍ୟାଳୟ ଭିତରକୁ ପୁରେଇ ଦେଇନଥିଲେ ପୋଲିସ ବାବୁ । ଶେଷରେ ବାଧ୍ୟ ହୋଇ ଗେଟ ପାଖରେ ଶବ ଦେହକୁ ରଖି ଧାରଣାରେ ବସିଛନ୍ତି ମୃତକଙ୍କ ପରିବାର । ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏଭଳି ଅଘଟଣର ଦୃଶ୍ୟ ।
ସୂଚନା ଅନୁଯାୟୀ,ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳର ବାଙ୍କି ନାମକ ଜଣେ ମହିଳାଙ୍କ ଗର୍ଭ ଯନ୍ତ୍ରଣା ଅନୁଭବ ହୋଇଥିଲା । ପରିବାର ଲୋକ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତରଙ୍କ ଅସାବଧାନତାରୁ ବାଙ୍କିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଡାକ୍ତରଖାନାରେ ଏହି ଅଭିଯୋଗ କରିଥିଲେ ସୁଦ୍ଧା କେହି ତାଙ୍କ କଥା ଶୁଣିନଥିଲେ ।
ତେବେ ଘରକୁ ଶବ ଆଣିବା ପାଇଁ ମହାପରାୟଣ ଆମ୍ବୁଲାନ୍ସ ମଧ୍ୟ ତାଙ୍କୁ ମିଳିନଥିବା ଅଭିଯୋଗ କରିଛନ୍ତି । ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏତେ ସମୟ ଧାରଣା ଦେବା ପରେ ମଧ୍ୟ କାହାର ନିଦ ଭାଙ୍ଗି ନଥିବା ଶୁଣିବାକୁ ମିଳୁଛି । ଏବେ ପ୍ରଶ୍ନ ଉଠୁଛି ଗରୀବଙ୍କ ଦୁଃଖ ଶୁଣିବ କିଏ? ସ୍ୱାସ୍ଥ୍ୟ ସେବାରେ ଆଗରେ ରହିଥିବା କହି ଡେଙ୍ଗୁରା ପିଟୁଥିବା ରାଜ୍ୟ ସରକାରଙ୍କ ଆମ୍ବୁଲାନ୍ସ ଯୋଜନା ପୁଣିଥରେ ମାରିଛି ଫେଲ ।