ଏଇ କରୋନା ମହାମାରୀ ସମୟରେ ଏବେ ସାରା ଦେଶ ପାଇଁ ଗୋଟିଏ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ବାହାର ରାଜ୍ୟରେ ଥିବା ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା । କାରଣ ଅନେକ ସମୟରେ ଦେଖିବାକୁ ମିଳୁଛି ବାହାର ରାଜ୍ୟରେ ଥିବା ଶ୍ରମିକ ବିଭିନ୍ନ ମାର୍ଗ ଦେଇ ଲୁଚିଲୁଚି ଚାଲି ଆସୁଛନ୍ତି ଓ ଘରେ ଲୁଚି ରହୁଛନ୍ତି । ଯାହାଫଳରେ ସଂକ୍ରମଣ ଅଧିକ ବ୍ୟାପୁଛି । ତେବେ ସବୁଠାରୁ ବଡ ପ୍ରସଙ୍ଗ ହେଲା ବର୍ଷବର୍ଷ ଧରି ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ଆଜି କାହିଁକି ବ୍ୟାକୁଳ ହୋଇ ପଡୁଛି ନିଜ ରାଜ୍ୟକୁ ଫେରିବାକୁ ।
ସରକାରୀ ସ୍ତରରେ ବାରମ୍ବାର ପ୍ରତିଶୃତି ଦିଆଯାଉଥିଲେ ମଧ୍ୟ ସେମାନେ କାହିଁକି ଘରକୁ ଆସିବାକୁ ଉଚ୍ଛନ ହୋଇ ପଡୁଛନ୍ତି । ତେବେ ଏହି ଆଲୋଚନା ପୂର୍ବରୁ ଆମେ ପ୍ରଥମେ କିଛି ଖବର ଜାଣି ରଖିବା ଉଚିତ । ଯାହା ଆମ ଆଲୋଚନା ପରିସରକୁ ଆଉଟିକେ ବ୍ୟାପକ ଓ ସହଜ କରିଦେବ । ଖବର ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାହାରେ ଥିବା ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ରେଜିଷ୍ଟ୍ରେସନ ବ୍ୟବସ୍ଥା ହେବା ପରେ ଗତ ତିନିଦିନ ମଧ୍ୟରେ ପଞ୍ଜୀକରଣ କଲେଣି ୪ ଲକ୍ଷ ୮୬ ହଜାର ରୁ ଅଧିକ ଶ୍ରମିକ ।
ଆଉ ସବୁଠାରୁ ବଡକଥା ହେଲା ଗତକାଲି ଅପରାହ୍ନରେ ଗୁଜୁରାଟର ସୁରଟରୁ ୪ ଟି ବସରେ ପ୍ରବାସୀ ମାନେ ଓଡିଶା ଫେରୁଛନ୍ତି ତା ପୁଣି ନିଜ ଖର୍ଚ୍ଚରେ । ତେବେ ସେ ଯାହାବି ହେଉ ନିଜ ଜନ୍ମମାଟିକୁ ଫେରିବା ଅପରାଧ ନୁହେଁ । କି ଏହା ଏକ ଅପରାଧୀକ କାର୍ଯ୍ୟ କଳାପ ନୁହେଁ । କିନ୍ତୁ ଏବେ କଥା ଉଠୁଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଉପରେ! କାରଣ ଏଇ ନିକଟରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଯିଏ ଯେଉଁ ରାଜ୍ୟରେ ଫସି ରହିଥାନ୍ତୁ ନାଁ କାହିଁକି । ଅନ୍ୟ ସମସ୍ତ ରାଜ୍ୟ ସହିତ ସମନ୍ୱୟ ରକ୍ଷା କରି ସେଠାରେ ଆମ ରାଜ୍ୟର ଲୋକଙ୍କ ପାଇଁ ସମସ୍ତ ସୁବିଧା କରି ଦିଆଯିବ ।
ମାତ୍ର ଏବେ ଯେଉଁମାନେ ବି ଫେରୁଛନ୍ତି ସମସ୍ତଙ୍କ ମୁଁହରେ ସେଇ ଗୋଟିଏ କଥା.. ସେଠାରେ ଆମେ ଖାଇବାକୁ ପାଇଲୁନି । କୌଣସି ସୁବିଧା ସୁଯୋଗ ପାଇଲୁନି । ତେଣୁ ଜୀବନ ବଞ୍ଚାଇବା ପାଇଁ ଆମେ ଫେରିଯାଉଛୁ ନିଜ ରାଜ୍ୟକୁ । ତା ମାନେ ଆମେ କଣ ଏହା ଧରିନେବା ଯେ ଆମ ଗଣତନ୍ତ୍ର ଶାସନ ମଧ୍ୟରେ ଆମେ କେବଳ ନିଜ ରାଜ୍ୟ ବ୍ୟତୀତ ଦେଶର ଅନ୍ୟ କୌଣସି ସ୍ଥାନରେ ସୁରକ୍ଷିତ ନୁହେଁ । ଯଦି ଚିହ୍ନଟ କରିବାରେ ଅସୁବିଧା ହେଉଛି । ତାହେଲେ କାହିଁକି ଗୋଟିଏ ଦେଶ ଗୋଟିଏ ଆଧାର କାର୍ଡ ହୋଇଛି ? କେନ୍ଦ୍ର ସରକାର କାହିଁକି ଏନେଇ ଦୃଢ ପଦକ୍ଷେପ ନେଉନାହାନ୍ତି? ଯେଉଁଥି ପାଇଁ ନିଜ ଦେଶ ଭିତରେ ଶ୍ରମିକ ମାନେ ନିଜକୁ ଅସହାୟ ମନେ କରୁଛନ୍ତି । ଆଉ ଏହି କାଳ ସମୟରେ ନିଜକୁ ବିପଦରେ ପକାଇ ଘରକୁ ଫେରୁଛନ୍ତି ।