କେନ୍ଦୁଝର(ଏଟିଆର ବ୍ୟୁରୋ); ବନ୍ୟଜନ୍ତୁ ଆକ୍ରମଣରେ ପତ୍ନୀ ହାତ ହରାଇଲେ । ଏହାର ତିନିବର୍ଷ ପରେ ପୁଣି ବନ୍ୟଜନ୍ତୁ ଆକ୍ରମଣରେ ସ୍ୱାମୀ ହରାଇଲେ ଗୋଡ । ସ୍ୱାମୀ – ସ୍ତ୍ରୀ ଉଭୟଙ୍କୁ ସାରା ଜୀବନ ପାଇଁ ଅକର୍ମଣ୍ୟ କରିଦେଲା ବନ୍ୟଜନ୍ତୁ । ହେଲେ କ୍ଷତିପୁରଣ ଦେବ କହି ବର୍ଷ ବର୍ଷ ଧରି ଠକି ଚାଲିଛି ବନବିଭାଗ । କେନ୍ଦୁଝର ଜିଲ୍ଲା ମେଲାଣ ଗ୍ରାମର ରାମଜିତ ଶୋରେନଙ୍କ ପରିବାର ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ ।
ଏ ହେଉଛନ୍ତି ନାଗୀ ସୋରେନ । ୪ବର୍ଷ ତଳେ ଭାଲୁ ଆକ୍ରମଣରେ ସବୁଦିନ ପାଇଁ ଗୋଟିଏ ହାତ ହରାଇ ଅକର୍ମଣ୍ୟ ହୋଇଯାଇଛନ୍ତି ନାଗୀ । ଦାର କରଜ କରି ପତ୍ନୀଙ୍କ ଚିକିତ୍ସା କରୁଥିବା ସ୍ୱାମୀ ରାମଜିତଙ୍କୁ ବି ଦେଢ଼ବର୍ଷ ତଳେ ଆକ୍ରମଣ କଲା ଭାଲୁ । ଏଥର ଭାଲୁ ଆକ୍ରମଣରେ ଗୋଟିଏ ଗୋଡ ହରାଇ ଅକର୍ମଣ୍ୟ ହୋଇଗଲେ ରାମଜିତ । ଚାଷ ବାସ କରି ଅଭାବ ଅନଟନରେ ବଂଚୁଥିବା ପରିବା ଉପରେ ଦାଉ ସାଧିଲା ବନ୍ୟଜନ୍ତୁ । ବାପ-ମା’ ଅକର୍ମଣ୍ୟ ହୋଇଯିବା ପରେ ଏବେ ପରିବାର ଉପରେ ମାଡି ଆସିଛି ଦୁଃଖର କଳାବାଦଲ । ବନ୍ୟଜନ୍ତୁ ଆକ୍ରମଣରେ ସ୍ଥାୟୀ ଅକର୍ମଣ୍ୟ ହେଲେ ସରକାରୀ କ୍ଷତିପୁରଣ ମିଳୁଥିବା ବେଳେ ରାମଜିତଙ୍କ ପରିବାରକୁ ଏଯାଏ ମିଳିପାରିନି ସରକାରୀ ସହାୟତା ।
ରାମଜିତଙ୍କ ଦୁଇପୁଅ ଆବାସିକା ସ୍କୁଲରେ ପାଠ ପଢୁଥିବା ବେଳେ ଦୁଇ ଝିଅଙ୍କ କାନ୍ଧରେ ପୁରା ପରିବାରର ବୋଝ । ପାଠ ପଢ଼ା ସହ ମୂଲ ଲାଗି ଘର ଚଳାଇବା ଏବଂ ଅସୁସ୍ଥ ବାପା-ମା’ଙ୍କ ଔଷଧ ପାଇଁ ଟଙ୍କା ଯୋଗାଡ କରିବା ଏମାନଙ୍କ ପକ୍ଷେ କେତେ ଯେ କଷ୍ଟକର ତାହା କେବଳ ସେମାନଙ୍କୁ ହିଁ ଜଣା । ସ୍ୱାସ୍ଥ୍ୟବିଭାଗ ସ୍ଥାୟୀ ଅକର୍ମଣ୍ୟ ନେଇ କୌଣସି ତଥ୍ୟ ଦେଇ ନଥିବାରୁ ଏହି ପରିବାରକୁ ୪ଲକ୍ଷ ଟଙ୍କାର ଅକର୍ମଣ୍ୟ ସହାୟତା ମିଳି ପାରୁ ନଥିବା ସଫେଇ ଦେଇଛନ୍ତି ରେଂଜର । ତେବେ ବିଳମ୍ବ କାରଣରୁ ପୁନର୍ବାର ତଦନ୍ତ କରି ସହାୟତା ପ୍ରଦାନ କରାଯିବ ବୋଲି କହିଛି ବନବିଭାଗ ।
ସ୍ୱାସ୍ଥ୍ୟବିଭାଗର ଦାୟିତ୍ୱହୀନତା ପାଇଁ ଗୋଟିଏ ପରିବାର ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ବନବିଭାଗର ଦୂରଦୃଷ୍ଟିର ଅଭାବ ପାଇଁ ଗୋଟିଏ ପରିବାର ଅଭାବର ଶେଷ ସୀମାରେ ଲଢ଼େଇ କରୁଛନ୍ତି । ଆଉ କେତେ ପ୍ରମାଣ, କେତେ ଅଭିଯୋଗ ପାଇଲେ ରାମଜିତଙ୍କ ପରିବାରକୁ ସରକାରୀ ସହାୟତା ମିଳିବ ଯେ ?