କଟକ(ଏଟିଆର ବ୍ୟୁରୋ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୁରିଛି । ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ କଟକ ଗସ୍ତରେ ଆସିଥିଲେ ଗାନ୍ଧୀ । ଗାନ୍ଧୀଙ୍କ ଗସ୍ତ ସମୟରେ ସେ କାଠଯୋଡୀ ନଦୀ ପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜ ମୂର୍ତ୍ତିରେ ପ୍ରଦର୍ଶନ କରାଯାଇଛି । ସେହି ଗସ୍ତ ସମୟରେ ଗାନ୍ଧିଜୀ କଟକରେ ରାତ୍ରିଯାପନ କରିଥିଲେ। ସ୍ବରାଜ ଆଶ୍ରମରେ ରହିଥିଲେ। କଦମରସୁଲ୍ ଯାଇଥିଲେ। ମହିଳାମାନଙ୍କୁ ଉଦବୋଧନ ଦେଇଥିଲେ। ଆଉ ସ୍ବାଧୀନତା ଆନ୍ଦୋଳନ ପାଇଁ ମହିଳାମାନେ ଗାନ୍ଧିଜୀଙ୍କ ନିକଟରେ ସୁନାଗହଣା କାଢି ସମର୍ପି ଦେଇଥିଲେ ।
ମହାତ୍ମା ଗାନ୍ଧୀଙ୍କ ଆଗମନକୁ ଶହେବର୍ଷ ପୂରଣ ହେଉଥିବାରୁ କଟକ ଷ୍ଟେସନରୁ ବିରାଟ ପଦଯାତ୍ରା ସହ ପ୍ରଜ୍ଞାପନ ମେଢ ବାହାରିଛି । ଅନ୍ୟପଟେ କଟକ ଦରଗାବଜାର ପୁରୁଣା ଜେଲ ପଡିଆରେ ଏକ ସୁନ୍ଦର ପ୍ରଦର୍ଶନ ଆୟୋଜନ କରାଯାଉଛି । ଏଥିରେ ଗାନ୍ଧୀଜିଙ୍କ ପିଲା ବେଳ,ସଂଗ୍ରାମୀ ଜୀବନ ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମର ବିଭିନ୍ନ କଥା ଫଟୋ ଓ ପୋଷ୍ଟର ଆକାରରେ ସ୍ଥାନ ପାଇଛି ।
ଗାନ୍ଧୀଙ୍କ ଗସ୍ତ ସମୟରେ ଗାନ୍ଧିଜୀ ଏଭଳି ଆଣ୍ଠୁ ଲୁଚୁ ନଥିବା ଲୁଗା ପିନ୍ଧୁ ନଥିଲେ କି ଫୁଙ୍ଗୁଳା ଦେହରେ ବୁଲୁ ନଥିଲେ। ବାଡ଼ି ବି ଧରୁ ନଥିଲେ। କୁହାଯାଏ କଟକ ଗସ୍ତ ଆଉ ଓଡ଼ିଶାର ଗରିବୀ ତାଙ୍କୁ ପରବର୍ତ୍ତୀ ସମୟରେ ଆଣ୍ଠୁ ଲୁଚୁ ନଥିବା ଲୁଗା ପିନ୍ଧିବା, ଫୁଙ୍ଗୁଳା ଦେହରେ ଫକିର ଭଳି ବାଡ଼ି ଧରି ବୁଲିବାକୁ ପ୍ରୋତ୍ସାହିତ କରିଥିଲା।