କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ହୁକିଟୋଲା ଡଙ୍ଗା ବୁଡି ଘଟଣାରେ ନିଖୋଜ ଥିବା ଶିଶୁକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ଏବଂ ଏନଡିଆରଏଫ ଟିମ୍ । ଦୀର୍ଘ ୪୦ ଘଣ୍ଟାର ଖୋଜା ଖୋଜି ପରେ ମିଳିଛି ଏହି ୬ ବର୍ଷ ଶିଶୁର ମୃତ ଦେହ । ଶିଶୁର ମୃତଦେହ ମିଳିବା ପରେ ଡଙ୍ଗାବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ହୋଇଛି । ମୃତ ଦେହ ମିଳିବା ପରେ ଶୋକର ଛାୟା ଖେଳି ଯାଇଛି । ତେବେ ଏହି ୧୦ ଜଣ ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଏବଂ ୭ ଜଣ ମହିଳା ରହିଛନ୍ତି ।
ସୂଚନା ଅନୁଯାୟୀ ବୁଧବାର ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ନିକଟ ହସିଣା ଗ୍ରାମର ୧୭ଟି ପରିବାର ୫୫ ଜଣ ବଣଭୋଜି କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅନ୍ତର୍ଗତ ହୁକିଟୋଲା ଦ୍ୱୀପକୁ ଯାଇଥିଲେ । ତେବେ ଗଲାବେଳେ ଏମାନେ ଦୁଇଟି ଡଙ୍ଗାରେ ଯାଇଥିଲେ ମାତ୍ର ଫେରିବା ବେଳେ ଗୋଟିଏ ଡଙ୍ଗାରେ ଆସିଥିଲେ । ଡଙ୍ଗାରେ ୧୦ ବସିବାର ସକ୍ଷମ ଥିବା ବେଳେ ୫୫ ଜଣ ବସିବା ପରେ ଡଙ୍ଗାଟି ଭାରସାମ୍ୟ ହରାଇବାରୁ ପାଣିରେ ବୁଡି ୯ ଜଣଙ୍କର ଜୀବନ ଯାଇଥିଲା । ଆଜି ଶିଶୁର ମୃତଦେହ ଉଦ୍ଧାର ହେବା ପରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ହୋଇଛି ।