ଧର୍ମଗଡ(ଏଟିଆର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଭଏଁରିପାଲି ଗାଁରେ ଗତକାଲି ରାତିରେ ଦୁର୍ବୃତ୍ତ ମାନେ ୧୩ ଲକ୍ଷ ଟଙ୍କା ସହ ୨୫ ଭରି ସୁନା ଲୁଟି ନେଇ ଥିବାର ଅଭିଯୋଗ ହୋଇଛି । ସୌରଭ ଜୈନ ନାମକ ବ୍ୟବସାୟୀଙ୍କ ଘରେ ଗତକାଲି ଲୁଟ ହୋଇଥିବାର ସେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୬ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ସୌରଭଙ୍କ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ସୌରଭଙ୍କ ପରିବାର ଲୋକ ଉଠିପଡିବାରୁ ଦୁର୍ବୃତ୍ତ ମାନେ ସେମାନଙ୍କୁ ବନ୍ଧୁକ ଓ ଲୁହା ରଡ ଦେଖାଇ ଚୁପ ରହିବାକୁ କହିଥିଲେ ।
ଏହା ପରେ ମାତ୍ର ୧୦ ମିନିଟ ମସୟ ଭିତରେ ଦୁର୍ବୃତ୍ତ ମାନେ ଘର ଭିତରେ କଳାକନା ବୁଲାଇ ଦେଇଥିଲେ । ଲୁଟ ସମୟ ରେ ଦୁର୍ବୃତ୍ତ ମାନେ ପରସ୍ପରଙ୍କ ସହ ଠାର ମାଧ୍ୟମରେ ସୂଚନା ଦେଉଥିଲେ ବୋଲି ସୌରଭ କହିଛନ୍ତି । ଏହା ସହ ଲୁଟେରା ମାନେ ସୌରଭଙ୍କ ମା ଓ ବାପାଙ୍କୁ ଲୁହା ରଡରେ ଆକ୍ରମଣ କରିଛନ୍ତି ବୋଲି ସେ କହିଛନ୍ତି । ଆଜି ସକାଳୁ ପୋଲିସ ଲୁଟ ସମ୍ପର୍କ ରେ ଖବର ପାଇ ଘଟଣା ସ୍ଥଳରେ ଏସପି ବି. ଗଙ୍ଗାଧର, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।