ବାଲେଶ୍ୱର(ଏଟିଆର ବ୍ୟୁରୋ): ସମଗ୍ର ଦେଶରେ ଏବେ ପୂଜାର ମାହୋଲ ଚାଲିଛି । ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଠି ଏବେ ପାର୍ବଣ ପାଇଁ ଉତ୍ସାହ ଦେଖିବାକୁ ମିଳିଛି । ହେଲେ ଏହି ପୂଜା ମାହୋଲର ଫାଇଦା ନେଇ କିଛି ଅସାମାଜିକ ଲୋକ ଘଟାଉଛନ୍ତିି ଅଘଟଣ । ଏହିଭଳି ଏକ ଅଘଟଣ ଘଟିଛି ବାଲେଶ୍ୱର ଜିଲ୍ଲାରେ । ରାକେଶ ଓ ରାଜେଶ ଗତକାଲି ଦୁର୍ଗା ମଣ୍ଡପ ବୁଲି ବିଳମ୍ବିତ ରାତିରେ ବାଲେଶ୍ୱରର ଝାଡେଶ୍ୱର ମନ୍ଦିର ଦେଇ ଫେରୁଥିବା ବେଳେ କିଛି ଅସାଧୁ ଲୋକ ତାଙ୍କୁ ଆକ୍ରମଣ କରିଛନ୍ତି ।
ସୂଚନା ମୁତାବକ, ଝାଡେଶ୍ୱର ମନ୍ଦିର ନିକଟରେ ନିଶାଗ୍ରସ୍ତ ୪ଜଣ ଅସାଧୁ ଲୋକ ସେମାନଙ୍କୁ ଗାଳିଗୁଲଜ କରିଥିଲେ ।ଏହି ଗାଳିଗୁଲଜରୁ ସେମାନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା । ପରେ ନିଶାଗ୍ରସ୍ତ ଯୁବକମାନେ କୌଣସି ଏକ ଧାରୁଆ ଅସ୍ତ୍ରରେ ରାକେଶ ଓ ରାଜେଶଙ୍କୁ ଆକ୍ରମଣ କରିଥିଲେ ।ଏଥିରେ ଆହତ ହୋଇ ଉଭୟଙ୍କୁ ବାଲେଶ୍ୱରର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଏହି ବାବଦରେ ସହଦେବ ଖୁଣ୍ଟା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଉଭୟ ରାକେଶ ଓ ରାଜେଶ ହରିପୁର ଅଞ୍ଚଳର ଅଟନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦୃର୍ବୁତ୍ତଙ୍କୁ ଧରିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିଛି ।