ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଏହାର ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଆଜି କ୍ୟାପିଟାଲ ହସ୍ପିଟାଲରେ ୨ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଇ କରୋନାନ୍ତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶଲ୍ୟ ଓ ଅନ୍ୟ ଜଣକ ଭେଷକ ବିଭାଗର ଡାକ୍ତର ହୋଇଥିବାର ସୂଚନା ଦେଇଛନ୍ତି ହସ୍ପିଟାଲର ନିର୍ଦ୍ଦେଶକ ଡା.ଲକ୍ଷ୍ମୀଧର ସାହୁ ।
ତେବେ ଏହି ଦୁଇ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ଟେଷ୍ଟିଂ କରାଯାଇଛି । ସେମାନେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିବାର ସୂଚନା ମିଳିଛି । କିନ୍ତୁ ସେମାନଙ୍କର ପୁଣି ଥରେ ଆ.ର.ଟି.ପି.ସି.ଆ.ର ଟେଷ୍ଟ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲରେ ନିର୍ଦ୍ଦେଶକ କହିଛନ୍ତି ।
କରୋନାର ଦ୍ୱିତୀୟ ସଂକ୍ରମଣ ଆସିଥିବାବେଳେ ପ୍ରଥମ ଥର ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଡେଇଁସାରିଲାଣି । ଗତ ୨୪ଘଣ୍ଟା ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାରି ମଧ୍ୟରେ ସୁନ୍ଦରଗଡର ସର୍ବାଧିକ ୨୨୪ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୯୨ ଜଣ ଚିହ୍ନଟ ହୋଇଛନ୍ତି ।