ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଗତ କାଲି ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ । ସାମାନ୍ୟ କିଛିଟା ଗଣ୍ଡଗୋଳ ଓ ଟଣା ଓଟରା ଭିତରେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଗତ କାଲିର ମତଦାନ ୬୮ ପ୍ରତିଶତ ହୋଇଥିବା ବେଳେ ଆଗାମୀ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀ ପ୍ରଚାରରେ ଲାଗି ପଡିଲେଣି । ଦ୍ୱିତୀୟ ପର୍ଯ୍ୟାୟରେ ଜନତାଙ୍କ ମତକୁ ନିଜ ସପକ୍ଷରେ ନେବାକୁ ଜୋରଦାର କଷରତ ଚାଲିଛି । ବିଜେପି, ବିଜେଡି , କଂଗ୍ରେସଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ଖରାକୁ ଖାତିର ନକରି ପ୍ରଚାରରେ ଲାଗିପଡିଛନ୍ତି । ଆଗାମୀ ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ୫ ଟି ଲୋକସଭା ସମେତ ୩୫ ଟି ବିଧାନସଭା ଆସନ ପାଇଁ ହେବ ମତଦାନ । ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, ଆସ୍କା କନ୍ଧମାଳ ସଂସଦୀୟ କ୍ଷେତ୍ରରେ ନିର୍ବାଚନ କରାଯିବ ।
ସେହିଭଳି ବିଜେପି ପ୍ରାର୍ଥୀଙ୍କୁ ଶକ୍ତି ଯୋଗାଇବା ପାଇଁ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କେନ୍ଦୁଝର ଗସ୍ତରେ ଆସୁଛନ୍ତି । ଦିନ ୧୧ଟାରେ କେନ୍ଦୁଝରରେ ବିଜେପି ସଂକଳ୍ପ ସଭାରେ ଯୋଗଦେଇ ମତଦାତାଙ୍କୁ ଉଦ୍ବୋଧନ ଦେବେ । ସେହିଭଳି ବିଜେଡି ମଧ୍ୟ ପଛରେ ପଡିନାହିଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଗଞ୍ଜାମରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ସାନଖେମୁଣ୍ଡି ଓ ଆସିକାରେ ବିଭିନ୍ନ ସ୍ଥାନରେ ରୋଡ ସୋ କରି ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଆକୃଷ୍ଟ କରିବେ । ଅନ୍ୟପଟେ କଂଗ୍ରେସ ମଧ୍ୟ ପ୍ରଚାର ଜୋରଦାର ଚଳେଇଛି । ନିଜେ କଂଗ୍ରେସର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଚାରର ଭାର ସମ୍ବାଳିଛନ୍ତି । କାଲି ମତଦାନରେ ସର୍ବାଧିକ ପଶ୍ଚିମବଙ୍ଗରେ ୮୦ ପ୍ରତିଶତ ମତଦାନ ହୋଇଛି । ସେହିଭଳି ବିହାରରେ ସର୍ବନିମ୍ନ ୫୦ ପ୍ରତିଶତ ମତଦାନ ହୋଇଛି ।