ସମ୍ବଲପୁର (ଏଟିଆର ବ୍ୟୁରୋ): ଲାଞ୍ଚ ନେଇ ନିଲମ୍ବିତ ହେଲେ ୩ ପୋଲିସ କର୍ମଚାରୀ । ଲାଞ୍ଚ ପାଇଁ ଖାକି ବର୍ଦିରେ ଲାଗିଲା କଳଙ୍କ । ୨୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ନିଲମ୍ବିତ ହେଲେ ତିନି ପୋଲିସ କର୍ମଚାରୀ । ସମ୍ବଲପୁର ଜିଲ୍ଲା ଅନ୍ତଗର୍ତ ଯୁଯୁମରା ଥାନାରେ ଘଟିଛି ଏହିଭଳି ଘଟଣା । ସୂଚନାନୁଯାୟୀ, କିଛି ଯୁବକ ବାଇକରେ କାଠ ନେଇ ଯାଉଥିବା ବେଳେ ପାଟ୍ରୋଲିଂ ସମୟରେ ଧରାପଡିଥିଲେ । ଏହି ସମୟରେ ଥାନା କର୍ମଚାରୀ ମାନେ କେସ୍ କୁ ରଫାଦଫା କରିଦେବା କହି ମୂଲଚାଲ କରିବା ସହ ୨୦ହଜାର ଟଙ୍କା ମାଗିଥିଲେ ।
ପ୍ରଥମେ ୧୫ହଜାର ଓ ପରେ ୫ହଜାର ଟଙ୍କା ଦେବା ନେଇ କଥା ଛିଣ୍ଡି ଥିଲା । ହେଲେ ଏହି ସମସ୍ତ ଘଟଣା ମୋବାଇଲରେ ରେକର୍ଡିଂ ହୋଇଯାଇଥିଲା । ତେବେ ସମସ୍ତ ଘଟଣାର ଭିଡିଓ ଜାନୁଆରୀ ୧୦ରେ ଭାଇରାଲ ହେବା ପରେ ଏସପି ଘଟଣାର ସତ୍ୟତା ନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହି ସମସ୍ତ ଘଟଣାର ସତ୍ୟତା ପ୍ରମାଣିତ ହେବା ପରେ ତଦନ୍ତ ଆଧାରରେ ଯୁଯୁମରା ଥାନାର କନଷ୍ଟେବଳ, ହାବିଲଦାର ଓ ଡ୍ରାଇଭରଙ୍କୁ ଏସପି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଏହାଛଡା ଯୁଯୁମରା ଥାନା ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି ଏସପି ।