ସମ୍ବଲପୁର(ଏଟିଆର ବ୍ୟୁରୋ): ଗତଦୁଇ ଦିନ ହେବ ରାଜ୍ୟରେ ନୂଆ ମଟର ଯାନ ଆଇନ ଅନୁସାରେ ଟ୍ରାଫିକ ଚେକିଙ୍ଗ ଆରମ୍ଭ କରାଯାଉଛି । ଗତ ବର୍ଷ ସେପ୍ଟେମ୍ବର ମାସ ପହିଲାରୁ ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ କରାଯାଇଥିଲା । ଏହି ଆଇନକୁ ନେଇ ଲୋକ ମାନଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଇଥିଲା । ଯାହାକୁ ନେଇ ବହୁ ଯାଗାରେ ବାଦ ବିବାଦ ଦେଖା ଯାଇଥିଲା । ତେବେ ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଥିଲା । ଭୁବନେଶ୍ୱରରେ ରାଜମହଲ ଛକ ନିକଟରେ ସାଧାରଣ ଜନତା ଓ ପୋଲିସଙ୍କ ମଧ୍ୟରେ ଖଣ୍ଡଯୁଧ ମଧ୍ୟ ହୋଇଥିଲା । ଏହା ପରେ ରାଜ୍ୟ ସରକାର ଗାଡି କାଜଗ ପତ୍ର ଠିକ କରିବାକୁ ୬ ମାସ ସମୟ ସୀମା ଦେଇଥିଲେ । ଏହି ସମୟ ସୀମା ଗତ ଦୁଇ ଦିନ ହେବ ସରିଛି । ତେବେ ବର୍ତ୍ତମାନ ରାଜ୍ୟର ସବୁ ସ୍ଥାନରେ ଜୋଦାର ଟ୍ରାଫିକ ଚେକିଙ୍ଗ ହେଉଛି । ଗୋଟାଏ ଦିନରେ ୧ କୋଟି ଟଙ୍କାରୁ ଉର୍ଦ୍ଧ ଫାଇନ ଆଦାୟ କରାଯାଇଛି ।
ତେବେ ଆଜି ସମ୍ବଲପୁରରେ ଜଣେ ଅଟୋ ଚାଳକଙ୍କୁ ୩୦ ହଜାର ୫୦୦ ଟଙ୍କା ଫାଇନ କରାଯାଇଛି । ବିନା ପଞ୍ଜିକରଣ, ଡ୍ରାଇଭିଂ ଲାଇସେନ୍ସ ପାଇଁ ୫ ହଜାର ଲେଖାଏଁ , ଓଭରଲୋଡିଂ ପାଇଁ ୨୦ ହଜାର ଓ ସାଧାରଣ ଅପରାଧ ପାଇଁ ୫୦୦ ଟଙ୍କାର ଚାଲଣ କଟାଯାଇଛି । ସେହିପରି ଏକ ଡିଜେ ଗାଡିକୁ ୨୦ ହଜାର ୫୦୦ ଟଙ୍କା ଫାଇନ କରାଯାଇଛି । ଆବଶ୍ୟକୀୟ କାଗଜ ପତ୍ର ନଦେଖାଇ ପାରିବାରରୁ ଏହି ଫାଇନ କରାଯାଇଛି । ସେହିଭଳି ଆଜି ରାଜଧାନୀ ଭୁବନେଶ୍ୱରରେ ରୋଡ଼ ପରମିଟ, ପଲ୍ୟୁସନ ଓ ବୀମା ପାଇଁ ଗୋଟିଏ ଅଳିଆ ବୁହା ଡମ୍ପର ଗାଡ଼ିକୁ ୨୨ ହଜାର ଟଙ୍କା ଚାଲାଣ କଟାଯାଇଥିବା ବେଳେ ପଲ୍ୟୁସନ ଓ ସାଧାରଣ ଅପରାଧ ପାଇଁ ଅନ୍ୟ ଏକ ଅଳିଆ ବୁହା ଡମ୍ପରକୁ ୧୦,୫୦୦ ଟଙ୍କାର ଫାଇନ ଲାଗିଛି ।