ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚଳିତ ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ଦୁଇଟିଯାକ ଆସନରେ ତାଙ୍କୁ ପରାଜୟ ବରଣ କରିବା ପାଇଁ ପଡିଛି । ନିରଞ୍ଜନ କେନ୍ଦୁଝର ଜିଲ୍ଲା ଘଷିପୁରା ଏବଂ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିଥିଲେ । ତେବେ ସେ ଏହି ଦୁଇଟି ଯାକ ଆସନରେ ପରାଜୟ ବରଣ କରିଛନ୍ତି । କଂଗ୍ରେସର ସଭାପତି ହାରିବାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା ।
ନିରଞ୍ଜନ ଘଷିପୁରାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଚ୍ୟାଲେଞ୍ଜକୁ ଆସେପ୍ଟ କରି ନିର୍ବାଚନ ଲଢ଼ିଥିଲେ । ଶେଷରେ ଚ୍ୟାଲେଞ୍ଜ ହାରିଛନ୍ତି ନିରଞ୍ଜନ । ସେ ଏଠାରେ ବଦ୍ରିପାତ୍ରଙ୍କଠାରୁ ପରାସ୍ତ ହୋଇଛନ୍ତି । ଅପରପକ୍ଷରେ ଭଣ୍ଡାରିପୋଖରୀରେ ନିଶ୍ଚିନ୍ତ ବିଜୟ ହେବାର ଆଶା ରଖିଥିଲେ ନିରଞ୍ଜନ କିନ୍ତୁ ଏଠାରେ ସମାନ ପରିସ୍ଥିତି ହୋଇଥିଲା । ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ତୁଙ୍ଗନେତା ପ୍ରଫୁଲ୍ଲ ସାମଲଙ୍କଠାରୁ ପରାସ୍ତ ହୋଇଛନ୍ତି ।
ଗତକାଲି ପ୍ରକାଶ ପାଇଥିବା ନିର୍ବାଚନୀ ଫଳାଫଳ ସମ୍ପୂର୍ଣ୍ଣ ଭାବରେ କଂଗ୍ରେସର ପକ୍ଷରେ ଯାଇନାହିଁ । କେନ୍ଦ୍ରରେ କଂଗ୍ରେସର ନୈରାଶ୍ୟଜନକ ପରାଜୟ ହୋଇଛି । ଏବଂ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ମଧ୍ୟ ହରାଇଛି । ମାତ୍ର ୮ଟି ଆସନରେ ଜିତିଛି କଂଗ୍ରେସ । ସୁର ରାଉତ,ତାରା ବାହିନୀପତି ଏବଂ ନରସିଂହ ମିଶ୍ରଙ୍କ ଭଳି କେତେଜଣ ନେତାଙ୍କୁ ଛାଡିଦେଲେ ବଡ ବଡ କଂଗ୍ରେସ ନେତାଙ୍କ ପରାଜୟ ହୋଇଛି । ସୂଚନାଯୋଗ୍ୟ,କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ପରାସ୍ତ ହୋଇଛନ୍ତି । ସେ ସ୍ମୃତି ଇରାନୀଙ୍କଠାରୁ ପରାସ୍ତ ହୋଇଛନ୍ତି ।