ଝାନ୍ସି ( ଏଟିଆର ବ୍ୟୁରୋ): ଟ୍ରେନ ଯାତ୍ରା ହେଲା ଶେଷ ଯାତ୍ରା । ଟ୍ରେନରେ ଯାତ୍ରା କରିବା ସମୟରେ ଅତ୍ୟଧିକ ଗରମ ହେତୁ ଚାଲିଗଲା ୪ ଯାତ୍ରୀଙ୍କ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀରୁ ଝାନ୍ସି ଯାଉଥିବା କେରଲା ଏକ୍ସପ୍ରେସରେ । ସୁଚନାଅନୁସାରେ ଉକ୍ତ ଟ୍ରେନରେ ଆଗ୍ରାରୁ କୋଏମ୍ବୁଟାକୁ ଯାଉଥିଲେ ଏକ ୬୮ ଜଣିଆ ଗ୍ରୁପ । କୋଚ ନମ୍ବର ୮ ଓ ୯ ରେ ଏହି ଗ୍ରୁପର ଯାତ୍ରୀ ମାନେ ଯାତ୍ରା କରୁଥିଲେ । ଟ୍ରେନରେ ଅତ୍ୟଧିକ ଗରମକୁ ସହିନପାରିବାରୁ ଏହି ଗୃପରୁ ୪ ଜଣଙ୍କର ମୃତ୍ୟୁ ହୋଇଛି ।
ମୃତ ଯାତ୍ରୀଙ୍କ ମଧ୍ୟରୁ ଜଣେ କୋଏମ୍ବାଟୁର ଥିବା ବେଳେ ୩ ଜଣ କୋନ୍ନୁର ବୋଲି ଜଣା ପଡଛି । ଝାନ୍ସି ଷ୍ଟେସନରେ ପ୍ରଥମେ କୋଚ ୮ ଓ ୯ରେ କିଛି ଯାତ୍ରୀ ଅସୁସ୍ଥ ଥିବା ନେଇ ରେଳବାଇ ଡାକ୍ତରଙ୍କୁ ଖବର ମିଳିଥିଲା । ଡାକ୍ତରଙ୍କ ସହିତ କିଛି ସହଯୋଗୀ ବଗିରେ ଆସି ସ୍ୱାସ୍ଥ୍ୟବସ୍ଥା ଦେଖି ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତ ୪ ଯାତ୍ରୀଙ୍କୁ ଝାନ୍ସିରେ ଓହ୍ଲାଇ ଦିଆଯାଇଥିବା ଜଣା ପଡଛି ।
ସୂଚନାଯୋଗ୍ୟ ସାରା ଦେଶରେ ଆଜି ଗ୍ରୀଷ୍ମ ପ୍ରବାହ ଅଧିକ ରହିଛି । ଦିଲ୍ଲୀ , ମହାରାଷ୍ଟ୍ର, ରାଜସ୍ଥାନରେ ଆଜି ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଗତକାଲି ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଉପରେ ରହିଥିଲା । ପଞ୍ଜାବର ଅମୃତସର, ଲୁଧିଆନା , ପଟିଆଲାରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିବା ଜଣାପଡିଛି ।