ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡିଶାର ସମଗ୍ର ରାଜ୍ୟରୁ ଆସିଥିବା ଦିବ୍ୟାଙ୍ଗ ଓ ଆଦିବାସୀ ଛାତ୍ରଛତ୍ରୀ ମାନେ ବିମାନରେ ଉଡିବାର ମଜା ନେଇଛନ୍ତି । ଆଜି ସକାଳେ ଭୁବନେଶ୍ୱର ବିମାନ ବନ୍ଦରରୁ ୪୮ ଜଣ ଛାତ୍ରଛାତ୍ରୀ ମାନେ ବିମାନରେ ବସି ଉଡାଣ ଭରିଛନ୍ତି । ଏହି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୨୫ ଜଣ ପୁଅ ଓ ୨୩ ଜଣ ଝିଅ ଥିଲେ । ଭୁବନେଶ୍ୱର ବିମାନ ବନ୍ଦରରୁ ୯.୨୫ ମିନିଟରେ ବିମାନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଉଡାଣ ଭରିଥିଲା । ଦୀର୍ଘ ୪୦ ମିନିଟ ଧରି ଛାତ୍ରଛାତ୍ର ମାନଙ୍କୁ ଆକାଶରେ ବିମାନ ଉଡିଥିଲା ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଓ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଏହି ବ୍ୟବସ୍ଥା କରାଯାଇଥିଲା । ଏନେଇ ଗତ ୧୯ ତାରିଖ ଦିନ ବେସାକରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢୀ ଟ୍ୱିଟ କରି ସୂଚନା ଦେଇଥିଲେ । ତେବେ ଆଜି ବିମାନ ଉଡିବା ପରେ ସଚିବ ଉଷା ପାଢୀ ଟ୍ୱିଟ କରି ଏୟାର ଇଣ୍ଡିଆ ସିଏମଡି ଓ ଆଲିଆନ୍ସ ଏୟାର ସିଇଓଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡିଶା ସରକାରଙ୍କ ଏଭଳି ଉଦ୍ୟମକୁ ସେ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଛାତ୍ରଛାତ୍ରୀ ମାନେ ବିମାନରେ ଉଡିବା ପରେ ଖୁସି ଥିବାର କହିଛନ୍ତି ।ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା ,ବିଧାୟକ ଆକାଶ ଦାସ ନାୟକ, ଅଭିନେତା ସବ୍ୟସାଚ୍ଚି ପ୍ରମୁଖ ଉପସ୍ଥିତି ଥିଲେ ।