ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଟ୍ରାଫିକ ଜାମ ବଢିବାରେ ଲାଗିଛି । ଏହାକୁ ନେଇ ରାଜ୍ୟ ସରକାର ଓ କମିଶନରେଟ ପୋଲିସ ଦ୍ୱାରା ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ତେବେ ଇତିମଧ୍ୟରେ ଟ୍ରାଫିକ ଜାମରେ ଏକ ଆମ୍ବୁଲାନ୍ସ ଫସି ଏକ ପାଞ୍ଚ ବର୍ଷ ଶିଶୁର ଜୀବନ ଚାଲିଯାଇଛି । ଯାହାକୁ ନେଇ ମହିଳା ଓ ଶିଶୁ ଆୟୋଗ ପକ୍ଷରୁ ଏକ ରିପୋର୍ଟ ଦେବା ପାଇଁ ଟ୍ରାଫିକ ଡିସିପିଙ୍କୁ କୁହାଯାଇଛି । କେଉଁ ପରିସ୍ଥିତରେ ଶିଶୁଟିର ମୃତ୍ୟୁ ଘଟିଲା, କେଉଁଠି କେଉଁଠି ଆମ୍ବୁଲାନ୍ସ ଅଟକିଥିଲା, କାହିଁକି ଅଟକିଥିଲା ସେ ସମ୍ପର୍କରେ ଏକ ରିପୋର୍ଟ ଦେବାକୁ କୁହାଯାଇଛି ।
ଏହା ସହ ଆମ୍ବୁଲାନ୍ସ କିପରି ସିଧା ସଳଖ ହସ୍ପିଟାଲରେ ପହଞ୍ଚିବ ତାହାକୁ ନେଇ ଟ୍ରାଫିକ ପୋଲିସ ପକ୍ଷରୁ କଣ ବ୍ୟବସ୍ଥା ରହିଛି ତାହା ମଧ୍ୟ ଜଣାଇବାକୁ କୁହାଯାଇଛି । ଅନ୍ୟପଟେ ଗତକାଲିର ଘଟଣା ପରେ କଠୋର ହୋଇଛି କମିଶନର ପୋଲିସ । ସୂଚନା ଅନୁସାରେ ନୂଆ ମୋଟର ଯାନ ନିୟମ ଅନୁଯାୟୀ ଆମ୍ବୁଲାନ୍ସ କିମ୍ବା କୌଣସି ଜରୁରୀକାଳୀନ ସେବା ଗାଡିକୁ ରାସ୍ତା ନଛାଡିଲେ ୧୦ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ । ଏହା ସହ ଆମ୍ବୁଲାନ୍ସକୁ ରାସ୍ତା ଛାଡୁନଥିବା ଗାଡି ଚାଲକ ମାନଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ପରିବହନ ବିଭାଗ କୁ ଚିଠି ଲେଖିବ ପୋଲିସ ।