ନୂଆପଡା (ଏଟିଆର ବ୍ୟୁରୋ ) ; ପୋଲିସକୁ ଧକ୍କା ମାରି ଖସିଯାଇଥିଲା ନକ୍ସଲ । ଦୁର୍ଦ୍ଦନ୍ତ ନକ୍ସଲ ମନୋଜ ମାଡକାମୀ ଗତକାଲି ନୂଆପଡା ଏସଡିଜେଏମ କୋର୍ଟ ପରିସରରୁ ପୋଲିସକୁ ଧକ୍କାମାରି ପାଚେରୀ ଡେଇଁ ଚମ୍ପଟ ମାରିଥିଲା । ଏହି ଘଟଣାକୁ ନେଇ ଆଜି ୭ ଜଣ ପୋଲିସ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଟାନ ନେଇଛନ୍ତି ନୂଆପଡା ଏସପି । ୭ ଜଣ ପୋଲିସ କର୍ମଚାରୀଙ୍କୁ ଆଜି ସସପେଣ୍ଡ କରିଛନ୍ତି ନୂଆପଡା ଏସପି । କର୍ତ୍ତବ୍ୟରେ ଅବହେଳା ଯୋଗୁ ସେମାନଙ୍କୁ ସସପେଣ୍ଡ କରାଯାଇଥିବାର ଜଣା ପଡିଛି । ତେବେ ନିଲମ୍ବିତ ପୋଲିସ କର୍ମଚାରୀ ମାନେ ହେଲେ ପଙ୍କଜ ତାଣ୍ଡି, ପୁଷ୍ପଲତା ସୁନାନି, ଭୋଳାନାଥ ମାଝୀ, ପାନ୍ତବାଇ ନାଏକ, ହରିଶଙ୍କର ଶବର, ଲକ୍ଷ୍ମଣ ଶବର ଓ ମଧୁସୂଦନ ମାଝୀ। ସେମାନଙ୍କ ମଧ୍ୟରେ ୨ଜଣ ଏଏସ୍ଆଇ ଅଛନ୍ତି।
ସୂଚନା ଅନୁସାରେ, ଦୁର୍ଦ୍ଦନ୍ତ ନକ୍ସଲ ମନୋଜ ମାଡକାମୀଙ୍କୁ ଗତ ୩୦ ତାରିଖରେ ଗିରଫ କରାଯାଇ ନୂଆପଡା ସବଜେଲରେ ରଖାଯାଇଥିଲା । ତେବେ ଗତକାଲି ଦୁର୍ଦ୍ଦନ୍ତ ନକ୍ସଲ ମନୋଜ ମାଡକାମୀଙ୍କୁ ନୂଆପଡ଼ା ଏସ୍ଡିଜିଏମ୍ କୋର୍ଟରେ ବିଚାର ପାଇଁ ହାଜର କରାଯାଇଥିଲା। ତାଙ୍କୁ କୋର୍ଟ ମଧ୍ୟରେ ଥିବା ହାଜତରେ ରଖାଯାଇଥିଲା । ପାଖାପାଖି ୨ ଟା ସମୟରେ ତାଙ୍କୁ ଦୁଇଜଣ ପୋଲିସ ଧରି କୋର୍ଟକୁ ନେଇ ଯାଉଥିଲେ । ଏହି ସମୟରେ ମନୋଜ ସେମାନଙ୍କୁ ଧକ୍କାମାରି କୋର୍ଟର ପାଚେରୀ ଡେଇଁ ପଳାଇଯାଇଥିଲା । ଏହି ଘଟଣାକୁ ନେଇ ଆଜି ନୂଆପଡା ଏସପି କାର୍ଯ୍ୟରେ ଅବହେଳ ଯୋଗୁ ୭ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।