ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ନବୀନ ନିବାସ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଲୁଟ୍ । କଳା ପଲସରରେ ଭାଇ ଭଉଣୀଙ୍କୁ ଆକ୍ରମଣ କରି ୭୫ ହଜାର ଟଙ୍କା ଝାମ୍ପି ନେଇଥିବା ଅଭିଯୋଗ । ସୂଚନା ଅନୁସାରେ ଆଜି ଭୋର ୪ ଟାରେ କାର୍ଗିଲ ରୋଡରେ ଭାଇ ଭଉଣୀ ଯାଉଥିବା ବେଳେ ଲୁଟର ଶିକାର ହୋଇଛନ୍ତି । ଏକ ବିବାହରେ ଯୋଗ ଦେବା ପାଇଁ ଭାଇ ଭଉଣୀ ମାଷ୍ଟର କ୍ୟାଣ୍ଟିନ ଯାଇଥାନ୍ତେ କାର୍ଗିିଲ ରୋଡରେ ସେମାନେ ଅପେକ୍ଷା କରିଥିଲେ । ଏହି ସମୟରେ ୩ ଜଣ ଲୁଟେରା ଏକ କଳା ପଲସରରେ ଆସି ସେମାନଙ୍କୁ ଧମକାଇବା ସହିତ ଅଟକାଇଥିଲେ ।
ସେମାନେ ବିରୋଧ କରିବାରୁ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସେମାନଙ୍କ ଠାରୁ ସୁନା ଗହଣା ସହିତ ଟଙ୍କା ଝାମ୍ପି ନେଇଥିଲେ । ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ଏକ ମୋବାଇଲ ସୋରୁମ ମାଲିକ ବୋଲି ଜଣା ପଡିଛି । ଭୋର ସମୟ ହୋଇଥିବାରୁ ଲୋକ ଗହଳି ନଥିବାର ସୁଯୋଗ ନେଇ ଲୁଟେରା ଏମିତି କରିଛନ୍ତି ।
ତେବେ ସବୁଠାରୁ ବଡ କଥା ହେଉଛି ବାରମ୍ବାର ରାଜଧାନୀରେ ଲୁଟେରାଙ୍କ ରାଜ ଚାଲୁଥିଲେ ମଧ୍ୟ ପେଟ୍ରୋଲିଙ୍ଗ କେମିତି ହେଉଛି ତାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି ହୋଇଛି । ଲୁଟର ଶିକାର ହୋଇଥିବା ଭାଇ ଭଉଣୀ ଏବେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ଏୟାର ଫିଲ୍ଡ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।