ରାଉରକେଲା ( ଏଟିଆର ବ୍ୟୁରୋ): ପୁଣି ରାଉରକେଲାରେ ଜଣେ ନାବାଳିିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଗତ ଜୁଲାଇ ୩୧ ତାରିଖରେ ଏହି ଅମାନବୀୟ କାଣ୍ଡ ଘଟିଥିବା ନେଇ ଅଭିଯୋଗ । ରାଉରକେଲା ଟାଙ୍ଗରାପାଲି ଅଞ୍ଚଳରୁ ଏହି ଅଭିଯୋଗ ଆସିଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ଦୁଇ ଜଣ ନାବାଳକଙ୍କୁ ଅଟକ ରଖି ଥିବା ଜଣା ପଡିଛି । ସୂଚନା ଅନୁସାରେ ଗତ ଜୁଲାଇ ୩୧ ତାରିଖ ସନ୍ଧ୍ୟାରେ ସମ୍ପୃକ୍ତ ନାବାଳିକା ଜଣଙ୍କ ଦୋକାନରୁ ଘର ସଉଦା ନେଇ ଫେରୁଥିବା ବେଳେ ତିନି ଜଣ ନାବାଳକ ତାକୁ ଟେକି ନେଇ ପାଖରେ ଥିବା ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଜଣେ ଗାଁ ଛାଡି ଫେରାର ହୋଇ ଯାଇଥିବା ସୂଚନା ମଳିଛି । ପରିବାର ଲୋକ ଗତ ଅଗଷ୍ଟ ୨ ତାରିଖରେ ଟାଙ୍ଗିରପାଲି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଦୁଇଜଣଙ୍କୁ ଗିରଫ କରି ବାଳ ସୁଧାର ଗୃହକୁ ପଠାଇ ଦେଇଛି । ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ଏହି ନିକଟରେ ଷ୍ଟେସନ ଛାଡି ଦେବାକୁ କହି ଜଣେ ସମ୍ପର୍କୀୟ ଭାଇ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।