କଟକ (ଏଟିଆର ବ୍ୟୁରୋ); ଦୀର୍ଘ ୧୯ ଘଣ୍ଟା ଯନ୍ତ୍ରଣା ଭୋଗିଲେ । ୪ ଘଣ୍ଟାର ଅସ୍ତ୍ରୋପଚାର ପରେ ପେଟରୁ ବାହାରିଲା କଣ୍ଟା ବାଉଁଶ । ରଙ୍ଗମିସ୍ତ୍ରୀ ପଞ୍ଚାନନ ପ୍ରଧାନ(୨୮) ପେଟରେ ପଶିଥିବା ଅଢ଼େଇ ଫୁଟ ଲମ୍ବ, ୩ ଇଞ୍ଚ ଗୋଲେଇର ଏକ କଣ୍ଟାଲଗା ବାଉଁଶକୁ ବାହାର କରାଯାଇଛି। କଟକ ବଡ଼ ଡାକ୍ତରଖାନାରେ ଦୀର୍ଘ ଅସ୍ତ୍ରୋପଚାର ପରେ ପଞ୍ଚାନନ ପାଇଛନ୍ତି ନୂଆ ଜୀବନ।
ସୂଚନାନୁଯାୟୀ, ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଲସ୍ତଲା ଗ୍ରାମର ପଞ୍ଚାନନ ପ୍ରଧାନ ନିଜ ଘରେ ରଙ୍ଗ ଦେଉଥିବା ବେଳେ ଗୋଡ଼ ଖସିଯିବାରୁ ତଳକୁ ଖସି ପଡ଼ିଥିଲେ। ଏହି ସମୟରେ ତଳେ ପଡିଥିବା ଏକ କଣ୍ଟାଲଗା ବାଉଁଶ ତାଙ୍କ ପେଟରେ ପଶି ପିଠି ପଟେ ବାହାରିଥିଲା। ଗତକାଲି ସଂଧ୍ୟା ସାଢ଼େ ୫ଟା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ନିଆଯାଇଥିଲା। ତେବେ, ପଞ୍ଚାନନଙ୍କ ଅବସ୍ଥା ଗୁରୁତର ଥିବାରୁ ତଥା ବାଉଁଶଟି ତାଙ୍କ ହୃତପିଣ୍ଡ ଓ ପାକସ୍ଥଳୀ ପର୍ୟ୍ୟନ୍ତ ପଶିଥିବାରୁ ସେଠାକାର ଡାକ୍ତରମାନେ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ସୋମବାର ସକାଳ ୬ଟାରେ ସେ ଏସ୍ସିବି ଆଶୁ ଚିକିତ୍ସାକେନ୍ଦ୍ରରେ ପହଞ୍ଚିବା ପରେ ତୁରନ୍ତ ତାଙ୍କୁ ସର୍ଜରି ବିଭାଗକୁ ସ୍ଥାନାନ୍ତରିତ କରାଯାଇଥିଲା।
ବାଉଁଶରେ ଲାଗିଥିବା କଣ୍ଟା ଯୋଗୁଁ ତାଙ୍କ ପାକସ୍ଥଳୀ, ଫୁସ୍ଫୁସ୍ ଓ ଅନ୍ୟାନ୍ୟ ସ୍ଥାନରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ଅସ୍ତ୍ରୋପଚାର ପରେ ପଞ୍ଚାନନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଏସ୍ସିବି ସୂତ୍ରରୁ ଜଣାପଡିଛି। ଆସୋସିଏଟ୍ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ପଣ୍ଡା, ନିଶ୍ଚେତକ ଡାକ୍ତର ଅଲେଖ ନାୟକ, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ରଞ୍ଜିତ୍ ବେହେରା, ଡାକ୍ତର ଶଶିକାନ୍ତ ବେହେରା, କାଡିଓଥୋରାସିସ୍ ବିଶେଷଜ୍ଞ ଡାକ୍ତର ସମୀର କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ହୋଇଥିଲା ଟିମ୍