ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଆମେ ଏଥିପାଇଁ ଏହି ଢ଼ଗ ଉପସ୍ଥାପନ କରିଛୁ କାରଣ ରାଜନୀତି ଭଳି ଯୋଜନା ପରେ ଯୋଜନା କରିବାରେ ଲାଗିଛି କମିଶନରେଟ ପୁଲିସ । ହେଲେ ପରବର୍ତ୍ତି ସମୟରେ ଏହି ଯୋଜନା ଯେ ବାଟବଣା ହୁଏ ତାହା କାହାକୁ ଆଉ ଅଛପା ନାହିଁ । ୨୦୦୮ରେ ଦୈତନଗରୀରେ ଆରମ୍ଭ ହୋଇଥିଲା ପ୍ରଥମ କରି କମିଶନରେଟ ବ୍ୟବସ୍ଥା । ବାସ ଏହାରି ଭିତରେ ଅନେକ ପୁଲିସ କମିଶନର ବଦଳିଲେଣି ।
ହେଲେ ଯେଉଁ କମିଶନର ଆସିଲେ ସିଏ ଦେଖାଇଲେ ଏକ ନୂଆ ଯୋଜନା । ପୂର୍ବତନ ପୁଲିସ କମିଶନର ବିନୟ କୁମାର ବେହେରାଙ୍କଠୁ ନେଇ ଏବେ ସତ୍ୟଜିତ ମହାନ୍ତିଙ୍କ ପର୍ଯ୍ୟନ୍ତ ଯଦି ଦେଖାଯାଏ ପାଖାପାଖି ୬ଟିରୁ ଅଧିକ ଯୋଜନା ହୋଇଛି । ସେ ନାଗରିକ ସୁରକ୍ଷା ଯୋଜନା କୁହନ୍ତୁ ଅବା ମହିଳାଙ୍କ ସୁରକ୍ଷା ଲାଗି କରାଯାଇଥିବା ମୋ ସାଥୀ ଆପ ଯୋଜନା । ସବୁ ଏବେ ବାଟ ହୁଡିଛି । ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଚା’ ମିଳିବା କଥା ତ’ ନକହିଲେ ଭଲ । ଏବେ ଖାଲି ମେସିନ ପଡିଛି, ଲୋକଙ୍କୁ ପାଣି ବୁନ୍ଦେ ବି ମିଳୁନି । ତେଣୁ ଏହାକୁ ଗୁରୁତର ସହ ଦେଖିଲେ ଏ କଥା ସ୍ପଷ୍ଟ ଯେ, ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ ଭଳି ଆମ କମିଶନରେଟ ପୁଲିସ ।
ଏବେ ପୁଣି ଆପୋଷ…..
କମିଶନରେଟ ପୁଲିସର ଆଉ ଏକ ନୂଆ ଯୋଜନା । ବସ୍ତିରେ ବଢ଼ୁଥିବା ଅପରାଧକୁ ରୋକିବା ଲାଗି ଏବେ ଆରମ୍ଭ ହୋଇଛି ‘ଆପୋଷ’ ଯୋଜନା । ଲକ୍ଷ୍ୟ ରହିଛି ଏହି ଆପୋଷ ଯୋଜନା ଜରିଆରେ ବସ୍ତିବାସିନ୍ଦାଙ୍କ ନିକଟତର ହେବ ପୁଲିସ । କାରଣ ଦିନକୁ ଦିନ ରାଜଧାନୀର ବସ୍ତି ଅଞ୍ଚଳରେ ଅପରାଧ ବଢ଼ିବାରେ ଲାଗିଛି । ଯାବତୀୟ ଅପରାଧ ଲାଗି ବସ୍ତିରେ ହିଁ ତିଆରି ହେଉଛି ବ୍ଲୁପ୍ରିଣ୍ଟ । କେବଳ ଏତିକି ନୁହେଁ ବେଧଡକ ନିଶା କାରବାର ମଧ୍ୟ ବସ୍ତି ଅଞ୍ଚଳରେ ବଢ଼ିବାରେ ଲାଗିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅପରାଧ ଘଟାଇବା ପରେ ହିଁ ବସ୍ତିକୁ ଅପରାଧୀମାନେ ନିଜର ସେଫ ଜୋନ ଭାବୁଛନ୍ତି । କୌଣସି ଗଳିରେ ରହି ଆତ୍ମଗୋପନ କରୁଛନ୍ତି । ଖାସ ଏସବୁ ଚେକ ଦେବା ଲାଗି ଆପୋଷ ଭଳି ଏକ ଯୁଗାନ୍ତକାରୀ ଯୋଜନା ଆରମ୍ଭ କରିଛି କମିଶନରେଟ ପୁଲିସ ।
ଏ ସମ୍ପର୍କରେ ଖୋଦ ପୁଲିସ କମିଶନର ଓ ଡିସିପି ରାଜଧାନୀର ବିଭିନ୍ନ ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି । ବସ୍ତିରେ ନିଶା କାରବାର ରୋକିବା ସହ ସୁସ୍ଥ ବସ୍ତି ଗଠନ କରିବା ଲାଗି ମତାମତ ଲୋଡାଯାଇଛି । ଏହି ଆପୋଷ ଯୋଜନା ଜରିଆରେ ଖେଳକୁଦ ମାଧ୍ୟମରେ ବସ୍ତିର ଯୁବକ ଓ ଛୋଟପିଲାଙ୍କୁ ସହଯୋଗ କରିବ ପୁଲିସ । ସେପଟେ ରେକର୍ଡ କହୁଛି ପ୍ରାୟ ୪୦ପ୍ରତିଶତ ଲୋକ ବସ୍ତିରେ ରହୁଛନ୍ତି ।
ପେଟପାଟଣା ଲାଗି କିଏ ଓ କେଉଁଠୁ ଆସି ବସ୍ତିରେ ରହୁଥିବା ବେଳେ କାହାରି ମଧ୍ୟରେ ଏତେଟା ସମ୍ପର୍କ ନିବିଡ ରହିନଥାଏ । ଯାହା ଅପରାଧ ବଢ଼ିବାର ମୂଳ କାରଣ ବୋଲି କୁହାଯାଏ । ତେବେ ସେ ଯାହାହେଉ ଏହି ଆପୋଷ ଯୋଜନା ଏବେ ବସ୍ତିବାସିନ୍ଦାଙ୍କ ଲାଗି ନୂଆ ସକାଳ ଆଣିବ ବୋଲି ଆଶା କରାଯାଉଛି । ଏବେ ଦେଖିବାର ରହିଲା ଏହି ଯୋଜନା କେତେଦୂର ସଫଳ ହେଉଛି ।