ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ଦିନଠାରୁ ଲୋକଙ୍କ ମଧ୍ୟରେ ଏହାକୁ ନେଇ ସଚେତନତା ଦେଖିବାକୁ ମିଳୁଛି । ଜନସାଧାରଣ ଏହି ସବୁ ନିୟମକୁ ମାନୁଥିବାର ଦେଖିବାକୁ ମିଳୁଛି । ଲୋକମାନେ ସଚେତନ ହୋଇ ଗାଡି ଚଳାଇବା ଯୋଗୁଁ ଦେଶରେ ଦୁର୍ଘଟଣାର ଖବର ଧୀରେ ଧୀରେ କମିବାରେ ଲାଗିଲାଣି । ବିଶେଷ କରି ଓଡିଶାରେ କଡାକଡି ଭାବରେ ନିୟମ ଲାଗୁ ହେବା ପର ଠାରୁ ରାଜ୍ୟରେ ଦୁର୍ଘଟଣାର ହାର କମିଛି । ଏନେଇ ଆଜି ଲୋକସଭା ଭବନରେ ବସିଥିବା ରାଜ୍ୟ ସୁରକ୍ଷା ପରିଷଦର ଦ୍ୱିତୀୟ ବୈଠକରେ ସୂଚନା ମିଳିଛି । ପୂର୍ବବର୍ଷ ତୁଳନାରେ ଏବର୍ଷ ୪.୫ପ୍ରତିଶତ ଦୁର୍ଘଟଣା କମିଛି ଓ ଦୁର୍ଘଟଣା ଜନିତ ମୃତ୍ୟୁହାର ୧୨ପ୍ରତିଶତ କମିଛି । ପ୍ରତି ଘଣ୍ଟାରେ ଆମ ଦେଶରେ ଦୁର୍ଘଟଣାରେ ୧୭ଜଣଙ୍କର ମୃତ୍ୟୁ ହୋଇଥାଏ ।
୨୦୧୮ରେ ପୂରା ଭାରତରେ ୧ଲକ୍ଷ ୫୨ହଜାର ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଆମ ରାଜ୍ୟରେ ୫ହଜାର ୩୧୫ଜଣଙ୍କ ମୃତ୍ୟୁ ହୋଇଥିଲା । ଆମ ରାଜ୍ୟରେ ବୌଦ୍ଧ, ରାୟଗଡା, ସୋନପୁର, ଦେବଗଡ, ମାଲକାନଗିରି, କନ୍ଧମାଳ ଆଦି ଜିଲ୍ଲାରେ ସର୍ବାଧିକ ଦୁର୍ଘଟଣା ଘଟିଥାଏ । ଗତ ଦଶବର୍ଷ ମଧ୍ୟରେ ଓଡିଶାରେ ୩୮ହଜାର ୨୦୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଜନିତ ମୃତ୍ୟୁରେ ଅଧିକ ଯୁବପିଢୀ ଥିବା ଜଣାପଡିଛି । ତେବେ ଚଳିତ ବର୍ଷ ସେପ୍ଟେମ୍ବର ଯାଏଁ ୪ହଜାର୧୧୫ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ବୈଠକରୁ ସୂଚନା ମିଳିଛି । ତେବେ ଲୋକସଭା ଭବନରେ ବସିଥିବା ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଉନ୍ନୟନ କମିଶନ ପ୍ରମୁଖ ଉପସ୍ଥିତ ଥିଲେ ।