ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ମଦ ପାଇଁ ଚାଲିଗଲା ଜଣକ ଜୀବନ । ମ-ମରିବା ଦ-ଦରିଦ୍ର ହେବା । ମଦର ମାନେ ବୁଝାଇଥିବାରୁ ଚାଲିଯାଇଛି ଯୁବକଙ୍କ ଜୀବନ । ସର୍ମ୍ପକୀୟ ଭାଇକୁ ମଦ ପିଇବାକୁ ମନା କରିବାରୁ ଶେଷରେ ରାଗି ଯାଇ ମାରିଦେଇଥିବା ଜଣା ପଡିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଫାଣ୍ଡି ଅନ୍ତର୍ଗତ ସିମୋର ଗ୍ରାମରେ । ମୃତକ ହେଲେ ଗ୍ରାମର ଗୋପାଳ ପାତ୍ରଙ୍କ ପୁଅ ସୁବ୍ରତ ପାତ୍ର(୨୫) । ଅଭିଯୁକ୍ତ ହେଲା ନରେନ୍ଦ୍ର । ତା ଘର ଆଠଗଡ ଅଞ୍ଚଳରେ ବୋଲି ଜଣାପଡିଛି । ଅଭିଯୁକ୍ତ ହତ୍ୟା କରିବା ପରେ ଫେରାର ହୋଇ ଯାଇଛି । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଘଟଣାର ତନାଘନା ଚଳାଇଛି ପୋଲିସ ।
ପୋଲିସ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ରାତିରେ ନରେନ୍ଦ୍ର ସୁବ୍ରତଙ୍କୁ ଟାଙ୍ଗଆରେ ହାଣି ଫେରାର ହୋଇ ଯାଇଥିଲା । ସକାଳୁ ରକ୍ତ ଜୁଡୁବଡୁ ମୃତଦେହ ଦେଖିବା ପରେ ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପୁଅର ମୃତ ଦେହକୁ ଦେଖିବା ପରେ କନ୍ଦାକଟା କରିଥିଲେ ବାପା ମା ଏବଂ ପରିବାର ଲୋକ । ସବୁଠାରୁ ବଡ କଥା ହେଉଛି ଅଭିଯୁକ୍ତ ମାରିବା ପରେ କାନ୍ଥରେ ମାରିବାର କାରଣ ଲେଖିଛି । ଯାହାକି ଆଶ୍ଚର୍ଯ୍ୟର କଥା । ଅଭିଯୁକ୍ତ କାନ୍ଥରେ ଲେଖିଛି କି ସୁବ୍ରତ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ ଏବଂ ସେ ମୋତେ ମଦ ପିଇବା ପାଇଁ ବାରଣ କରୁଥିଲେ । ଯାହାକି ମୋର ପସନ୍ଦ ନଥିଲା । ଏଣୁ ନରେନ୍ଦ୍ର ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଶେଷରେ ଘରେ ଶୋଇଥିବା ସମୟରେ ଟାଙ୍ଗିଆରେ ହାଣି ଫେରାର ହୋଇ ଯାଇଛି ।
ମୃତ ଦେହକୁ ଦେଖିବା ପରେ ଗାଁରେ ଉତ୍ତେଜନା ଦେଖା ଦେଇଥିଲା । କନ୍ଦାକଟାରେ ଫାଟି ପଡିଥିଲା ଗାଁ ପରିବେଶ । ତେବେ ଏହି ଘଟଣା ସମ୍ପର୍କରେ ମୃତକଙ୍କ ପରିବାର ଥାନାରେ ଜଣାଇବା ପରେ ପୋଲିସ ଗାଁରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇ ଦେଇଛି । ସେପଟେ ଅଭିଯୁକ୍ତ ଜଣକ ଫେରାର ହୋଇ ଯାଇଛି । ଏଣୁ ଅଭିଯୁକ୍ତର ସନ୍ଧାନ ପାଇବା ପାଇଁ ପୋଲିସ ତନାଘନା ଚଳାଇଛି । ଯଥାଶିଘ୍ର ଅଭିଯୁକ୍ତକୁ ଧରାଯିବା ସହ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।