ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମିଳୁଛି ନକଲି ଫେଷ୍ଟ ଟିକେଟ । ଯାହାପାଇଁ ନାକେଦମ ହୋଇଛନ୍ତି ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା । ଥାନା ଦୂଆରେ ତାଙ୍କୁ ରାତିରେ ଚକ୍କର କାଟିବାକୁ ପଡିଛି । ଘଟଣାକୁ ନେଇ ଏବେ ସବୁଠି ହଇଚଇ ସୃଷ୍ଟି ହୋଇଛି ।
ଖାରବେଳନଗର ଥାନା ପୁଲିସ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ୨ ବନ୍ଧୁଙ୍କୁ ଅଟକ ରଖିବା ପରେ ଏହି ଘଟଣା ପଦାକୁ ଆସିଛି । ମିଳିଥିବା ରିପୋର୍ଟ ଅନୁସାରେ, ଅର୍ଚ୍ଚିତାଙ୍କ ୨ବନ୍ଧୁ ଟିକେଟ ନେଇ ଫେଷ୍ଟ ବୁଲିବାକୁ ଆସିଥିଲେ । ତେବେ ଗେଟ ନିକଟରେ ଥିବା ସିକ୍ୟୁରିଟି ଗାର୍ଡ ଟିକେଟ ଯାଞ୍ଚ କରିବା ପରେ ଏହା ନକଲି ବୋଲି ଜଣାପଡିଥିଲା । ଘଟଣାକୁ ନେଇ ସିକ୍ୟୁରିଟି ଗାର୍ଡ ଓ ଅର୍ଚ୍ଚିତାଙ୍କ ବନ୍ଧୁଙ୍କ ମଧ୍ୟରେ କିଛି ସମୟ ପାଟିତୁଣ୍ଡ ହୋଇଥିଲା ।
ଖବର ପାଇ ପୁଲିସ ଅର୍ଚ୍ଚିତାଙ୍କ ୨ବନ୍ଧୁଙ୍କୁ ଥାନାକୁ ଆଣିଥିଲା । କୁହାଯାଉଛି ସେମାନେ ଆଣିଥିବା ପାସରେ ବାରକୋଡ ନଥିଲା । ଯାହା ପୂରା ନକଲି ବୋଲି ସ୍ପଷ୍ଟ ହେଉଥିଲା । ସେପଟେ ବନ୍ଧୁମାନେ ଥାନାରେ ଅଟକ ଥିବା ଜାଣିବା ପରେ ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ରାତିରେ ଖାରବେଳନଗର ଥାନାରେ ପହଞ୍ଚିଥିଲେ । ପୁଲିସ ଅର୍ଚ୍ଚିତାଙ୍କ ହେପାଜତରେ ଅଟକ ଥିବା ତାଙ୍କ ବନ୍ଧୁଙ୍କୁ ଛାଡିଥିଲା । ତେବେ ଏନେଇ ଅର୍ଚ୍ଚିତାଙ୍କ କହିବା ଥିଲା ସେ ଏହି ପାସଟି ବିଡିଏରୁ ଆଣିଥିଲେ । ସୁଟିଂ ଥିବା କାରଣରୁ ସେ ପାସଟିକୁ ତାଙ୍କର ୨ବନ୍ଧୁଙ୍କୁ ଦେଇଥିଲେ ।
ଆଉ ଏହାପରେ ଏଭଳି ଘଟଣା ଘଟିଛି । ପ୍ରଶ୍ନ ଉଠୁଛି ଯଦି ବିଡିଏ ପକ୍ଷରୁ ଏହି ପାସ ଦିଆଯାଇଥିଲା ତେବେ ସେଥିରେ ବାରକୋଡ କିପରି ନଥିଲା? କାହିଁକି ବିଡିଏ କର୍ମଚାରୀ ଏଭଳି ପାସ ଦେଲେ? ସେପଟେ ପୁଲିସ ଘଟଣାର ତଦନ୍ତ କରୁଛି ଖୁବ ଶୀଘ୍ର ସତ ଜଣାପଡିବ ବୋଲି ପୁଲିସ କହିଛି । ତେବେ ସେ ଯାହାହେଉ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା । ତାଙ୍କ ଲାଗି ଅଯଥାରେ ତାଙ୍କ ବନ୍ଧୁମାନେ ହଇରାଣ ହେଲେ ବୋଲି ସେ କହିଛନ୍ତି ।