ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ଜାଗା ବାଡି କାଗଜ ପତ୍ର ପାଇବା ପାଇଁ କରିବାକୁ ପଡିବନି ମାସ ମାସ ଧରି ଅପେକ୍ଷା । କାରଣ ଏବେ ଏକ ଘଣ୍ଟା ମଧ୍ୟରେ ମିଳିବ ସମସ୍ତ ଜମିର କାଗଜ ପତ୍ର । ଆଉ ବାରମ୍ବାର ଯିବାକୁ ପଡିବନାହିଁ ତହସିଲ ଅଫିସକୁ । ସବରେଜିଷ୍ଟ୍ରାର ଅଫିସରେ ପଞ୍ଜିକରଣ କରିବାର ଏକ ଘଣ୍ଟା ମଧ୍ୟରେ ମିଳିବ ସମସ୍ତ କାଗଜ ପତ୍ର । ଏଣିକି ଆସନ୍ତା ଏପ୍ରିଲ ପହିଲାରୁ ଏହି ସବୁ ସୁବିଧା ଉପଲବ୍ଧ ହେବାକୁ ଯାଉଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ୱ ବିଭାଗ ପ୍ରଦିପ୍ତ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।
ସେ ସୂଚନା ଦେଇଛନ୍ତି ଯେ, ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ବିଭାଗ ମୋ ସରକାର ଅଧିନକୁ ଆସିବା ପରେ ଖୁବଶୀଘ୍ର ଅର୍ଥାତ ଫେବୃଆରୀ ୧୦ରେ ରାଜସ୍ୱ ବିଭାଗ ମୋ ସରକାରଙ୍କ ଅଧୀନକୁ ଆସିବାକୁ ଯାଉଛି । ତେଣୁ ଏହି ସମୟରେ ମୋ ସରକାର ଅଧିନକୁ ରାଜସ୍ୱ ବିଭାଗ ଆସିବା ପୂର୍ବରୁ ଯେଉଁ ତହସିଲଦାରଙ୍କ କାମ ବାକି ଅଛି, ସେମାନଙ୍କ ଛୁଟି ବାତିଲ କରାଯାଇଛି। ସେହିଭଳି ଅନେକ କଲେଜ ପ୍ରତିଷ୍ଠା ହୋଇଥିଲେ ବି ସମ୍ପୃକ୍ତ କଲେଜ ନାମରେ ଜମି ନାହିଁ। କଲେଜଗୁଡ଼ିକ ନିଜ ନାମରେ ଜମି କରାଇବାକୁ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସଚିବ ସୂଚନା ଦେଇଛନ୍ତି।