ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୨୯ ତାରିଖରେ ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ କୁଳିଆ ଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ ଶାହା । ତେବେ ଶାହା ଓଡିଶା ଆସିବା ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ଶାହାଙ୍କ ଓଡିଶା ଗସ୍ତରେ ଦଳୀୟ କର୍ମୀ ବେଶ ଖୁସି ଅଛନ୍ତି । କାରଣ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣ ମନ୍ତ୍ର ଦେବେ ଶାହା । ପୂର୍ବରୁ ଓଡିଶାରେ ୧୨୦ ମିଶନ ପାଇଁ ଘୋଷଣା କରିଥିଲେ ଶାହା । ଏଣୁ ବାରମ୍ବାର ଓଡିଶା ଗସ୍ତରେ ଆସି କର୍ମୀଙ୍କୁ ଗୁରୁଜ୍ଞାନ ଦେଉଛନ୍ତି ।
ଗତ ୧୮ ତାରିଖରେ ଓଡିଶା ଗସ୍ତରେ ଶାହା ଆସିବେ ବୋଲି ଘୋଷଣା କରାଯାଇଥିଲା । ମାତ୍ର ସେ ଆସିବା ପୂର୍ବରୁ ସ୍ୱାଇନ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ଦୁଇ ଦିନ ତଳେ ଭଲ ହେବା ପରେ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ଶାହା । ଏଣୁ ଆଜି ଓଡିଶା ଗସ୍ତ ପାଇଁ ଘୋଷଣା କରିଛନ୍ତି । ସେ ଏହି ଗସ୍ତରେ ଉଭୟ ସରକାରୀ ଏବଂ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ଶାହାଙ୍କ ପୂର୍ବରୁ ମୋଦୀ ଗୋଟିଏ ମାସରେ ୩ ଥର ଓଡିଶା ଗସ୍ତରେ ଆସି ସାରିଛନ୍ତି । ଯାହାକୁ ରାଜନୀତି ମହଲରେ ବହୁତ ଚର୍ଚ୍ଚା ହେଉଛି ।