ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଢ଼େରଦିନ ହେବ ଏକ ଷଣ୍ଢ ରାସ୍ତାରେ ବୁଲୁଥିଲା । ଗୋଡରେ ପୋକ ସାଲୁବାଲୁ ହେଉଥିବା ଯୋଗୁ ପ୍ରବଳ ଯନ୍ତ୍ରଣା ପାଉଥିଲା । ପାଟି ସିନା ଖୋଲି ପାରୁନଥିଲା କିନ୍ତୁ କେତେ ଯେ, କଷ୍ଟ ପାଉଥିଲା ତାହା ଯେ କେହିବି ଦେଖିଲେ ବୁଝିପାରିବ । ହେଲେ ଆଜି ତା’ର ସେ ଯନ୍ତ୍ରଣା ଲାଘବ ହୋଇଛି । ଡାକ୍ତରଙ୍କ ଜରିଆରେ ତାର ଗୋଡ ସଫା କରାଯାଇଛି । ଖାଲି ଏତିକି ନୁହେଁ ଷଣ୍ଢଟିର ଖାଇବା ପିଇଆଠୁ ନେଇ ସେ କେମିତି ଭଲରେ ରହିବ ତା’ର ଏବେ ସବୁ ବ୍ୟବସ୍ଥା କରାଯାଇଛି ।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଉ କେହି ନୁହେଁ ବରଂ ଏସବୁ କାର୍ଯ୍ୟ କରିଛନ୍ତି ଭୁବନେଶ୍ୱର ଟ୍ରାଫିକ୍ ଏସିପି ଅନୁପ କାନୁନଗୋ । ଟ୍ରାଫିକ୍ ଏସିପିଙ୍କ ଏଭଳି କାର୍ଯ୍ୟକୁ ଏବେ ସବୁ ସ୍ତରରୁ ବେଶ ପ୍ରଶଂସା କରାଯାଇଛି । ଉପରକୁ ବହୁତ ରାଗି ଦେଖାଯାଉଥିବା ଅନୁପ କାନୁନଗୋଙ୍କ ମନ ଭିତରେ ଯେ, ଏଭଳି ଏକ ମଣିଷ ପଣିଆ ଲୁଚି ରହିଛି ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ରିପୋର୍ଟ ଅନୁସାରେ, ଆଜି ସକାଳେ ଏସିପି ନିଜ ଅଫିସକୁ ଆସୁଥିବା ବେଳେ ଷଣ୍ଢଟିକୁ ଦେଖିଥିଲେ । ତା’ର ଏଭଳି ଅବସ୍ଥା ଦେଖି ନିଜ ଅଫିସ ଯିବେ କ’ଣ ଆଗ ଦୌଡିଥିଲେ ଓୟୁଏଟିକୁ । ସେଠାରୁ ଜଣେ ଡାକ୍ତରଙ୍କୁ ଡାକି ଷଣ୍ଢଟିର ଚିକିତ୍ସା କରାଇଥିଲେ ।
ତେବେ ଚିକିତ୍ସା ପରେ ଏସିପିଙ୍କ କାମ କିନ୍ତୁ ସରିନଥିଲା । ପରେ ଏକ ଦଉଡୀ ଆଣି ଖୋଦ ନିଜ ଅଫିସ ସମ୍ମୁଖରେ ତାକୁ ବାନ୍ଧିଥିଲେ । ଷଣ୍ଢଟିର ରହିବା ପାଇଁ ଏବେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟାରେ ଷଣ୍ଢଟି ପାଇଁ ଚୋକଡ, କଦଳୀ ଓ ସେଉ ପର୍ଯ୍ୟନ୍ତ ସବୁ କିଣିଛନ୍ତି ଖୋଦ୍ ଏସିପି ଅନୁପ । ନିଜେ ସନ୍ଧ୍ୟାରେ ଚୋକଡ ଗୋଳାଇ ଷଣ୍ଢଟିକୁ ଖାଇବାକୁ ଦେଉଥିବା ଦେଖିବାକୁ ମିଳିଥିଲା । ତେବେ ସେ ଯାହାହେଉ ଅନୁପଙ୍କ ଏଭଳି ଏକ ପ୍ରୟାସକୁ ସାଲ୍ୟୁଟ କରିଛନ୍ତି ଅନେକ ପଶୁପ୍ରେମୀ । ତେବେ ଏନେଇ ଆମେ ଅନୁପଙ୍କ ସହ ଯୋଗାଯୋଗ କରିଥିଲେ ବି ସେ ବିଶେଷ କିଛି ଏ ସମ୍ପର୍କରେ କହିନଥିଲେ । ବାସ ଏତିକି କହିଥିଲେ ଆମ ଭଳି ବି ତା’ର ଜୀବନ ଅଛି । ଏସିପି ଅନୁପ କାନୁନଗୋଙ୍କ ଏଭଳି କାମକୁ ଏଟିଆର ଟିମ ମଧ୍ୟ ସାଲ୍ୟୁଟ୍ କରୁଛି ।