ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଚର୍ଚ୍ଚାରେ ନୟାଗଡ ବିଧାୟକ ଅରୁଣ ସାହୁ । ତେବେ ଏଥରକ ଚର୍ଚ୍ଚା କିନ୍ତୁ ଆଉ ଟିକେ ଅଲଗା । ଚିଟ୍ଫଣ୍ଡ ମାମଲାରେ ଜଣେ ମହିଳାଙ୍କ ସହ ଯୋଡି ହୋଇଛି ବାବୁ ଅରୁଣ ସାହୁଙ୍କ ନାଁ । ବିଶ୍ୱାସ ହେଉନଥିଲେ ବି ଏଭଳି ଏକ ଘଟଣା ଏବେ ସବୁଠି ଆଲୋଚନାର ବିଷୟ ହୋଇଛି । ଅଭିଯୋଗ ହୋଇଛି କାକଟପୁର ଅଞ୍ଚଳର କ୍ଷଣପ୍ରଭା ଓଝା ନାମ୍ନୀ ମହିଳା ଯେଉଁ ଟଙ୍କା ହଡ଼ପ କରିଛନ୍ତି ତାହା ପଛରେ ବି ରହିଛି ଅରୁଣ ସାହୁଙ୍କ ପ୍ରମୁଖ ଭୁମିକା । କ୍ଷଣପ୍ରଭା ନୟାଗଡ ଓ କଟକରେ ଚିଟଫଣ୍ଡ ଟଙ୍କା ଚଳୁ କରିଛନ୍ତି । ଯେଉଁଥିରେ ସିଧାସଳଖ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଉଠିଥିବା ବେଳେ ମାମଲା ଏବେ କ୍ରାଇମବ୍ରାଞ୍ଚରେ ପହଞ୍ଚିଛି ।
ରିପୋର୍ଟ ଅନୁସାରେ, ୨୦୧୨-୧୩ରେ କ୍ଷଣପ୍ରଭା ଖେଳିଥିଲେ ଚିଟଫଣ୍ଡ ଗେମ । ଅସହାୟ ଶ୍ରମଜୀବୀ ମହିଳା ସମିତି ନାମରେ ଏକ ଅନୁଷ୍ଠାନ ଖୋଲିଥିଲେ । ଅଭିଯୋଗ ହୋଇଛି ଏଥିରେ କ୍ଷଣପ୍ରଭାଙ୍କୁ ପୂରା ପୂରି ସହଯୋଗ କରିଥିଲେ ଅରୁଣ ସାହୁ । ମହିଳାଙ୍କୁ ନେଇ ନୟାଗଡ଼ରେ ଏକ ବିରାଟ ସମାବେଶ ଡକାଇଥିଲେ କ୍ଷଣପ୍ରଭା । ସେଠାରେ ବି ହାଜର ହୋଇଥିଲେ ଖୋଦ୍ ଅରୁଣ ସାହୁ । କେବଳ ଅରୁଣ କାହିଁକି ଜିଲ୍ଲାପରିଷଦର ସଦସ୍ୟମାନେ ବି ଉପସ୍ଥିତ ରହିଥିଲେ । ବାସ ଏଠାରେ ହିଁ ଠକାମୀର ମଞ୍ଜି ବୁଣିଥିଲେ କ୍ଷଣପ୍ରଭା । ବିନା ସୁଧରେ ଋଣ ଯୋଗାଇ ଦେବା କହି ଲୋକଙ୍କୁ ଦିବାସ୍ୱପ୍ନ ଦେଖାଇଥିଲେ ।
କୁହାଯାଉଛି କ୍ଷଣପ୍ରଭାଙ୍କ ଏଭଳି କଥା ଶୁଣି ଖୋଦ୍ ଅରୁଣ ସାହୁ କାଳେ ତାଙ୍କୁ ବେଶ ପ୍ରଶଂସା କରିଥିଲେ । ମନ୍ତ୍ରୀଙ୍କଠୁ ପ୍ରଶଂସା ଶୁଣି କ୍ଷଣପ୍ରଭାଙ୍କ ଉପରେ ବିଶ୍ୱାସ କରିଯାଇଥିଲେ ଲୋକେ । ବାସ ଏହାପରେ ଫର୍ମପୂରଣ ଓ ସିକ୍ୟୁରିଟି ବାବଦକୁ କ୍ଷଣପ୍ରଭା ଆଦାୟ କରି ଚାଲିଥିଲେ ୭ହଜାର ୨ଶହ ଟଙ୍କା । ନୟାଗଡ ପରେ ସମାନ ଢ଼ଙ୍ଗରେ ଲୋକଙ୍କୁ ଠକିବା ଲାଗି ଆଠଗଡ଼ରେ ବି ଜାଲ ବିଛାଇଥିଲେ କ୍ଷଣପ୍ରଭା । ସେଠାରେ ମଧ୍ୟ ଅରୁଣ ସାହୁଙ୍କ ଫଟୋ ଦେଖାଇ କ୍ଷଣପ୍ରଭା ଲୋକଙ୍କୁ ଚୂନ ଲଗାଇଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଭାବେ ହଜାର ହଜାର ଲୋକଙ୍କୁ ଭୁତିଆ ବନାଇବା ପରେ ଅଚାନକ କ୍ଷଣପ୍ରଭା ନିଜ ଅଫିସ ବନ୍ଦ କରିଦେଇଥିଲେ । ତାଙ୍କର ଆଉ ଧରାଛୁଆଁ ମିଳିନଥିଲା ।
ସେପଟେ ଠକାମୀର ଶିକାର ପରେ ୨୦୧୩ ଜୁନରେ ଲୋକେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ । ହେଲେ ର୍ଦୁଭାଗ୍ୟ ଯଥା ସମ୍ଭବ ଏହି କଥାକୁ ଚପାଇ ଦିଆଗଲା । ଅଭିଯୋଗ ପାଇଥିଲେ ବି କ୍ରାଇମବ୍ରାଞ୍ଚ ଆଉ ଘଟଣାର ଖୋଳତାଡ କରିନଥିଲା । ଏବେ ସିସୋର ଚିଟଫଣ୍ଡ ମାମଲାରେ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ କରିବା ପରେ ଏବେ ପୁଣି କ୍ରାଇମବ୍ରାଞ୍ଚ କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।