ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡିଆ ପୁଅ ଅଶ୍ୱଥ ନାରାୟଣ ଦାସ ଭାରତ ପାଇଁ ଆଣିଛନ୍ତି ଆଉ ଏକ ଗୌରବ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ବିଶ୍ୱ ଦରବାରରେ ଓଡିଶାକୁ ଦେଇଛନ୍ତି ନୂଆ ଏକ ପରିଚୟ । ରୁଷିଆର କାଜାନରେ ଅନୁଷ୍ଠିତ ହୋଇଥିବା ୪୫ ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସି.ଭି ରମଣ କଲେଜ ଛାତ୍ର ଅଶ୍ୱଥ ନାରାୟଣ ଦାସ ସ୍ୱର୍ଣ୍ଣ ପଦକ ଜିତି ଗତକାଲି ଓଡିଶା ଫେରିଛନ୍ତି । ଯେଉଁଥି ପାଇଁ ଏବେ ଅଶ୍ୱଥଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ\nତେବେ ଆସନ୍ତୁ ଜାଣିବା ଦକ୍ଷତା ପ୍ରତିଯୋଗିତାରେ କେଉଁ କୃତି ପାଇଁ ସ୍ୱର୍ଣ୍ଣ ପଦକର ବିଜେତା ହୋଇଛନ୍ତି ଅଶ୍ୱଥ ନାରାୟଣ-
ସିଭି ରମଣ କଲେଜ ଅଫ ଇଞ୍ଜିନିୟରିଂରୁ ଇଲେକ୍ଟ୍ରୋନିକ୍ସ ଏବଂ ଇନଷ୍ଟୁମେଣ୍ଟଇଞ୍ଜିନିୟରିଂରେ ବିଟେକ ଲାଭ କରିଥିବା ଅଶ୍ୱଥ ୱାଟର ଟେକନୋଲୋଜି ଟ୍ରେଡରେ ସ୍ୱର୍ଣ୍ଣ ପଦକ ବିଜୟ କରିଛନ୍ତି । ଜଳର ସଂରକ୍ଷଣ, ଏହାର ପୁନଃ ପ୍ରୟୋଗ ଥିଲା ଗବେଷଣାର ମୁଖ୍ୟ ଉଦ୍ଦେଶ୍ୟ । ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର କରି ଏହି ପ୍ରକଳ୍ପ ଗଠିତ ହୋଇଛି । ଅଶ୍ୱତ୍ଥ ବିଶ୍ୱର ୧୧ ଟି ଦେଶର ୧୧ ଜଣ ପ୍ରତିଯୋଗୀଙ୍କ ସହିତ ପ୍ରତିଯୋଗିତା କରିଥିଲେ ।
କେବଳ ଅଶ୍ୱଥ ନୁହଁନ୍ତି ଓଡିଶାର ଆହୁରି ୨ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେମାନେ ଏମକାଡ ଏବଂ ସିଏନସି ଟ୍ରେଡରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ । ତେବେ ଅଶ୍ୱତ୍ଥଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗତକାଲି ଅଶ୍ୱଥ ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଅବସରରେ ଗତକାଲି ତାଙ୍କୁ ବିମାନ ବନ୍ଦରରେ କଲେଜର ଚେୟାରମ୍ୟାନ୍, ଡାଇରେକ୍ଟର ଫାଇନାନ୍ସ୍, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ ସାମ୍ବାଦିକଗଣ ବିପୁଳମାତ୍ରାରେ ଅଭିନନ୍ଦନ ଜଣାଇଥିଲେ ।