ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଝୁନଞ୍ଜୁନ ବାବା ଗଙ୍ଗାରାମଙ୍କ ମହୋତ୍ସବ । ଏହି ଅବସରରେ ପୁରୀ କଟକ ରୋଡରେ ଥିବା ତେରାପନ୍ତ ଭବନ ଉତ୍ସବ ମୁଖର ହୋଇ ଉଠିଛି । ସୂଚନାଅନୁସାରେ ଆଜି ଅପରାହ୍ନ ୪ ଟାରେ ଅଖଣ୍ଡଜ୍ୟୋତି ପ୍ରଜ୍ୱଳିତ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଶ୍ରଦ୍ଧାଳୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଆୟୋଜିତ ହେଉଥିବା ଭଜନ ସମାରୋହରେ କୋଲକତାର ଲୋକପ୍ରିୟ କଳାକାର ନବୀନ ଯୋଶୀ, ବିଶାଲ ରାଜ ଗଣ୍ଡିଆ ପ୍ରମୁଖ ଯୋଗ ଦେବେ ।
କୋଲକାତାର ୧୫ ଜଣ କଳାକାର ବାବା ଗଙ୍ଗାରାମଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ଏକ ନୃତ୍ୟ ନାଟିକା ପରିବେଷଣ କରିବେ । ଏହି ଅବସରରେ ତେରାପନ୍ତ ଭବନକୁ ରାଜସ୍ଥାନର ଝୁନଞ୍ଜୁନ ମନ୍ଦିର ପ୍ରତିରୂପ ଭାବେ ସୁସଜ୍ଜିତ କରାଯାଇଛି । ଯେଉଁଥିରେ ବାବା ଗଙ୍ଗାରାମଙ୍କ ସମେତ ଭଗବାନ ଶିବ, ପ୍ରଭୁ ହନୁମାନ, ମା ଦୁର୍ଗା, ମା ଲକ୍ଷ୍ମୀଙ୍କୁ ଆକର୍ଷଣୀୟ ଫୁଲ ତୋରଣରେ ସଜ୍ଜା ଯାଇଛି । ରାଜସ୍ଥାନର ଝୁନଞ୍ଜୁନ ନଗରରେ ଥିବା ବିଷ୍ଣୁ ଅବତାରୀ ବାବା ଗଙ୍ଗାରାମଙ୍କର ପ୍ରସିଦ୍ଧ ଧାମ ଶ୍ରୀ ପଞ୍ଚଦେବ ମନ୍ଦିର ନାମରେ ବିଖ୍ୟାତ । ପ୍ରତିବର୍ଷ ଏଠାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ନିଜ ନିଜର ମନସ୍କାମନା ନେଇ ଆସିଥାନ୍ତି । ବିଶ୍ୱାସ ରହିଛି ଏଠାରେ ବାବାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ଦ୍ୱାରା ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।