ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଅନ୍ୟତମ ଶୈବ କ୍ଷେତ୍ର କହିଲେ କଟକ ଜିଲ୍ଲାର ଆଠଗଡ଼ ରେ ଥିବା ଶ୍ରୀ ଶ୍ରୀ ବାବା ଧବଳେଶ୍ୱର ପୀଠକୁ ବୁଝାଏ । ଆଜି ହେଉଛି ପବିତ୍ର ବଡ଼ ଓଷା । ଏହି ଅବସରରେ କୋଭିଡ଼ କଟକଣା ଅନୁଯାୟୀ ଏଠାରେ ବିନା ଭକ୍ତ ରେ ପ୍ରଭୁଙ୍କ ବଡ଼ଓଷା ନୀତିକାନ୍ତି ପୂଜକମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଛି ।ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି ।ବିଭିନ୍ନ ସ୍ଥାନରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି ।
ଚଳିତ ବର୍ଷ ବଡ଼ଓଷା ୬ ଦିନ ପଡ଼ିଥିବାରୁ ୨୬ ବର୍ଷ ପରେ ବଡ଼ଓଷା ରେ ବାବାଙ୍କର ଦେବ ଦୁର୍ଲଭ ନାଗାର୍ଜୁନ କିରାତି ବେଶ ଅନୁଷ୍ଠିତ ହୋଇଛି ବୋଲି ପୂଜମାନଙ୍କ ପକ୍ଷରୁ ସୂଚନା ମିଳିଛି । ଦ୍ବାପର ଯୁଗରେ ମହାଭାରତ ଯୁଦ୍ଧ ପୂର୍ବରୁ ଧନୁର୍ଦ୍ଧାରୀ ଅର୍ଜୁନ ଶଙ୍କର ଭଗବାନଙ୍କ ଠାରୁ ଦିବ୍ୟାସ୍ତ୍ର ପ୍ରାପ୍ତ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଜଙ୍ଗଲରେ ଗଭୀର ତପସ୍ୟାରେ ନିମଗ୍ନ ଥିଲେ। ସେହି ସମୟରେ ଏକ ଶୁକର ଅର୍ଜୁନଙ୍କ ତପ ଭଗ୍ନ ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରିଥିଲା।
ଶୁକର ମୁଖରୁ ବର୍ତ୍ତିବା ପାଇଁ ଗୋଟିଏ ପଟେ ଅର୍ଜୁନ ଶୁକରକୁ ଶର ନିକ୍ଷେପ କରିଥିବା ବେଳେ ଅନ୍ୟପଟେ ଅର୍ଜୁନଙ୍କୁ ରକ୍ଷା କରିବା ପାଇଁ ଭଗବାନ ଶଙ୍କର କିରାତ ରୂପରେ ଆବିର୍ଭୂତ ହୋଇ ଶୁକରକୁ ବାଣ ନିକ୍ଷେପ କରିଥିଲେ ।ଶେଷରେ ଅର୍ଜୁନ କିରାତ ରୂପରେ ମହାଦେବ ତ୍ରିପୁରାରୀଙ୍କୁ ଦର୍ଶନ କରିବା ସହ ଭଗବାନ ଶିବଙ୍କ ଠାରୁ ଦିବ୍ୟାସ୍ତ୍ର ପ୍ରାପ୍ତ ହୋଇଥିଲେ।
ତେଣୁ ପାରମ୍ପରିକ ଆଧାରରେ କାର୍ତ୍ତିକ ମାସରେ ପଞ୍ଚୁକ ୬ ଦିନ ପଡ଼ିଥିବା ବର୍ଷରେ ବଡ଼ଓଷା ଦିନ ପ୍ରଭୁ ଧବଳେଶ୍ୱରଙ୍କୁ ନାଗାର୍ଜୁନ ବେଶ କରାଯାଏ ।