ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ପୂର୍ବତନ ସାଂସଦ ସ୍ୱର୍ଗତ ବୈଷ୍ଣବ ପରିଡାଙ୍କ ବିୟୋଗରେ ସ୍ଥାନୀୟ ଜୟଦେବ ଭବନରେ ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ହୋଇଯାଇଛି । ଜାତି ଧର୍ମ, ବର୍ଣ୍ଣ ଦଳ ସର୍ବଶେଷରେ ଏହି ସଭାରେ ସମସ୍ତେ ଯୋଗଦେଇଥିବା ଦେଖିବାକୁ ମିଳିଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଏବଂ ବୈଷ୍ଣବଙ୍କୁ ଭଲ ପାଇଥିବା ସାଧାରଣ ଲୋକ ଯୋଗ ଦେଇଥିଲେ । ଉକ୍ତ ସଭାରେ ରାଜ୍ୟ ରାଜନୀତିର ବହୁ ଚିହ୍ନାମୁହଁ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ପ୍ରଫୁଲ୍ଳ ଘଡାଇ,ଦାମୋଦର ରାଉତ,ସୁବାଷ ସିଂ,ବ୍ରଜ କିଶୋର ତ୍ରିପାଠୀଙ୍କ ସମେତ ବହୁ କର୍ପୋରେଟର ମଧ୍ୟ ବୈଷ୍ଣବଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ତାଙ୍କ ବିଷୟରେ ସଂକ୍ଷପରେ କହିଥିଲେ ।
ଯେଉଁ ଦଳରେ ରହିଲେ ମଧ୍ୟ ନିଜର ବାମପନ୍ଥି ନିତି ଛାଡିନଥିଲେ ବୈଷ୍ଣବ । ଯେତେ ଦଳ ବୁଲିଲେ ମଧ୍ୟ ଲକ୍ଷଥିଲା ଗୋଟିଏ । ଓଡିଶା ଭାଷାର ପ୍ରଚାର ଏବଂ ପ୍ରସାର ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ । ୭୭ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି ଏହି ବର୍ଷିୟାନ ନେତା । ମରିବା ପର୍ଯ୍ୟନ୍ତ ଭାଷା ଆନ୍ଦୋଳନକୁ ଜାରି ରଖିଥିବା ଦେଖିବାକୁ ମିଳିଥିଲା । କେବେ କାହା ଚାପରେ ପଡି ଏଥିରୁ ଓହରି ନଥିଲେ । କାରଣ ବିଗତ ଦିନରେ ବିଜେଡି ଦଳରେ ରହି ମଧ୍ୟ ବିଜେଡି ସୁପ୍ରିମୋଙ୍କୁ ମଧ୍ୟ ଭାଷା ପାଇଁ ଟାର୍ଗେଟ କରିଥିଲେ ବୈଷ୍ଣବ । ଏପରି ତାଙ୍କ ଉଦ୍ଦେଶ୍ୟରେ ବହୁ ଗୁଣଗାନ କରିଥିଲେ ଉପସ୍ଥିତ ଥିବା ଅତିଥୀମାନେ ।
ରିପୋର୍ଟ ; ଗୁଣନିଧି ବେହେରା