ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ସେପ୍ଟେମ୍ବର ୧ ରୁ ଏକ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବନି ବ୍ୟାଙ୍କ । ସୋସିଆଲ ମିଡିଆରେ ଗତ କିଛିଦିନ ହେବ ମିଛ ଖବର ଘୁରି ବୁଲୁଛି । ଯାହାକୁ ନେଇ ଏବେ ଲୋକମାନେ ଦ୍ୱନ୍ଦରେ ପଡିଯାଇଛନ୍ତି । ତେବେ ପ୍ରକୃତରେ ସେପ୍ଟେମ୍ବର ୧ ରୁ ଏକ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବନି ବ୍ୟାଙ୍କ । ଏଭଳି ଖବରରେ କୌଣସି ସତ୍ୟତା ନଥିବା ଜଣାପଡିଛି । ଏପରି ସୁଚନା ଆଜି ନ୍ୟାସନାଲ୍ ଅର୍ଗାନାଇଜେସନ୍ ଅଫ୍ ବ୍ୟାଙ୍କ ୱାର୍କର୍ସର ଉପସଭାପତି ଅଶ୍ୱିନ୍ ରାଣା ଦେଇଛନ୍ତି ।
ଛୁଟି ଓ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ୬ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୋସିଆଲ ମିଡିଆରେ ଗତ କିଛିଦିନ ହେବ ଘୁରି ବୁଲୁଛି ଏହି ମିଛ ଖବର । ସେପ୍ଟେମ୍ବର ପହିଲା ଶନିବାର ଦିନ ବ୍ୟାଙ୍କ ଯଥାରୀତି କାର୍ୟ୍ୟ କରିବ। ସେପ୍ଟେମ୍ବର ୨ ତାରିଖ ରବିବାର ବ୍ୟାଙ୍କ ଛୁଟି ରହିବ। ୩ ତାରିଖ ସୋମବାର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଥିବାରୁ ଦେଶର କିଛି ସ୍ଥାନରେ, ବିଶେଷ କରି ଉତ୍ତର ଭାରତରେ, କିଛି ବ୍ୟାଙ୍କ ବନ୍ଦ ରହିବ। କିନ୍ତୁ ଓଡ଼ିଶାରେ ଜନ୍ମାଷ୍ଟମୀ ରବିବାର ପଡ଼ୁଥିବାରୁ ୩ ତାରିଖ ସୋମବାର ବ୍ୟାଙ୍କ ଖୋଲା ରହିବ। ସେପ୍ଟେମ୍ବର ୪ ଓ ୫ ତାରିଖରେ ପ୍ରୋଭିଡେଣ୍ଟ ଫଣ୍ଡ ଓ ପେନ୍ସନ୍ ସମ୍ପର୍କିତ ସମସ୍ୟାକୁ ନେଇ ଆରବିଆଇ କର୍ମଚାରୀମାନେ ସାମୂହିକ ଛୁଟିରେ ଯାଉଛନ୍ତି। କିନ୍ତୁ ଏହାର ପ୍ରଭାବ କୌଣସି ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଜଣାପଡିଛି ।