ବରଗଡ଼ (ଏଟିଆର ବ୍ୟୁରୋ): ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ହେବା ଫଳରେ ଯେଉଁ ପରିମାଣର ଗଛ କଟା ହେଉଛି ଏବଂ ମୂଲ୍ୟବାନ ଗଛକୁ ବେଆଇନ ଭାବରେ କିଛି ଅସାଧୁ ଲୋକ କାଟି ଚାଲୁଛନ୍ତି , ଯାହା ପରିବେଶକୁ କ୍ଷତି ପହଞ୍ଚାଇବା ସହ ଜୀବମଣ୍ଡଳକୁ ନଷ୍ଟ କରିବାରେ ଲାଗିଛି । ଅନେକ ସମୟରେ କିଛି ଲୋକ ଏହି ଗଛ କାଟିବାକୁ ବିରୋଧ କରିବା ସହ ଆନ୍ଦୋଳନ କରି ଗଛ ନକାଟିବାର ପ୍ରତିବାଦ କରିଥାଆନ୍ତି । ହେଲେ ଏହି ଗଛ କଟିବାର ବିରୋଧ କରିବାରୁ ଏବେ ଚାଲିଯାଇଛି ଜଣେ ବନକର୍ମଚାରୀଙ୍କ ଚାକିରୀ ।
ମିଳିଥିବା ସୂଚନା ମୁତାବକ , ଗତ ୬ବର୍ଷ ହେବ ପାଇକମାଲ ବନାଞ୍ଚଳରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରିଆସୁଥିବା ବରଗଡ଼ ଘୁଚାପାଲି ର୍ଗାର ଅନିରୁଦ୍ଧ ସେଠି । କିଛିଦିନ ହେବ ଗନ୍ଧମାର୍ଦ୍ଧନ ଜଙ୍ଗଲରେ ବେଆଇନ ଗଛ କାଟିବା ମାମଲାରେ ବନ ବିଭାଗ କେତେ ଜଣ କର୍ମଚାରୀଙ୍କୁ ବହିଷ୍କାର କରିଥିଲେ । ଏଥିରେ ଅନିରୁଦ୍ଧଙ୍କ ସମେତ ୩ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିଲା । ପରେ କିନ୍ତୁ ଅନ୍ୟ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ଅନିରୁଦ୍ଧଙ୍କୁ ଚାକିରୀରେ ରଖାଯାଇନଥିଲା । ତେଣୁ ନ୍ୟାୟ ପାଇବା ଆଶାରେ ଅନିରୁଦ୍ଧ ତାଙ୍କ ସ୍ତ୍ରୀ ଓ ପୁଅ ଝିଅଙ୍କ ସାଥିରେ ବରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି । ତାଙ୍କ କହିବା ମୁତାବକ ଗଛ କାଟିବାକୁ ବିରୋଧ କରିବାରୁ ତାଙ୍କୁ ଚାକିରୀରୁ ବାହାର କରିଛନ୍ତି । ତାଙ୍କୁ ପୁନଃ ନିଯୁକ୍ତି ଦିଆଯାଉ ବୋଲି ସେ ଦାବି କରିଛନ୍ତି ।