ବରଗଡ(ଏଟିଆର ବ୍ୟୁରୋ): ଆଜିଠାରୁ ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଶହ ଶହ କଳାକାରଙ୍କ ନାଚ ଗୀତର ତାଳେ ତାଳେ ଦୁଲୁକିବ ମଞ୍ଚ । ୧୧ଦିନ ଧରି ମଥୁରା ନଗରୀରେ ଚାଲିବ କଂସ ଶାସନ । ଗୋପପୁରେ ଶ୍ରୀକୃଷ୍ଣ ବଳରାମଙ୍କ ଲୀଳା ଓ ପ୍ରେମରେ ମଗ୍ନ ହେବେ ଗୋପୀ ।
ମହାରାଜ କଂସ ଓ ପାତ୍ର ମନ୍ତ୍ରୀଙ୍କ ପାଇଁ ପହଞ୍ଚି ସାରିଛି ହାତୀ, ଓଟ ଓ ଘୋଡା । ରଙ୍ଗ ବେରଙ୍ଗର ଲାଇଟର ତୋରଣରେ ସଜେଇ ହୋଇଛି ପୁରା ସହର । ବରଗଡ ପାଲଟିବ ମଥୁରା ନଗରୀ ଓ ଅମ୍ବାପାଲୀରେ ଚାଲିବ କୃଷ୍ଣ ଲୀଳା ।
ଦୁନିଆର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭୀନିତ ହେବ ପୌରାଣିକ କଥା ବସ୍ତୁକୁ ନେଇ କୃଷ୍ଣ ଲୀଳା । ବରଗଡ ହାଟପଦାଠାରେ ରାଜଦରବାର ଓ ନିଶାମଣୀ ସ୍କୁଲ ପଡିଆରେ ଅନୁଷ୍ଠିତ ହେବ ରଙ୍ଗମହଲ ।
ଜାନୁୟାରୀ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ରାଜ ଦରବାର ଓ ରଙ୍ଗମହଲରେ ସବୁଦିନ ଚାଲିବ ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ ଦଳ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ।