ବରଗଡ(ଏଟିଆର ବ୍ୟୁରୋ): ଆଜି ସିଟି ହସ୍ପିଟାଲ ଦାବିରେ ବରଗଡ ସହରରେ ବନ୍ଦ ପାଳନ କରାଯାଉଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଧାରଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ସିଟି ହସ୍ପିଟାଲ ଦାବିରେ ବରଗଡ ଥାନା ସମ୍ମୁଖରେ ଧାରଣାସ୍ଥଳରେ ଜିଲ୍ଲାପାଳ, ବିଧାୟକଙ୍କ ସହ ଅନ୍ଦୋଳନକାରୀଙ୍କ ବୈଠକ ହୋଇଥିଲା । ଏହି ବୈଠକରେ ଅଧିକାରୀ ମାନେ ଅନ୍ଦୋଳନକାରୀ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ଆଲୋଚନା ବିଫଳ ହୋଇଥିଲା । ଏହା ପରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କେବଳ ସେତିକି ନୁହେଁ ଉତ୍ୟକ୍ତ ଲୋକେ ପୋଲିସ କର୍ମଚାରୀଙ୍କ ଉପରକୁ ପଥର ମାଡ କରିଥିବାର ଜଣାପଡିଛି ।
ସୂଚନା ଯୋଗ୍ୟ ବରଗଡ ଜିଲ୍ଲାଚିକିତ୍ସାଳୟ ଟୁକୁରଲାକୁ ସ୍ଥାନାନ୍ତରିତ ହେବ ପରେ ବରଗଡ ସହର ଜନସାଧାରଣ ଏହାକୁ ବିରୋଧ କରିଥିଲେ । ସହରରେ କୌଣସି ଭଲ ହସ୍ପିଟାଲ ନଥିବାରୁ ଏକ ସିଟି ହସ୍ପିଟାଲ ନିର୍ମାଣ କରାଯାଉ ବୋଲି ବରଗଡ ଲୋକ ଦାବି କରିଥିଲେ । ଏହାକୁ ନେଇ ଆଜି ସକାଳୁ ଲୋକମାନେ ବନ୍ଦ ପାଳନ କରିବା ସହ ଧାରଣାରେ ବସିଥିଲେ । ବନ୍ଦ ଯୋଗୁ ସହରରେ ଦୋକାନ ବଜାର ବନ୍ଦ ରହିବା ସହ ଗମନା ଗମନ ଠପ ହୋଇଯାଇଥିବାର ଜଣାପଡିଛି । ଅନ୍ଦୋଳନ କାରୀ ମାନେ ସହରର ବିଭିନ୍ନ ରାସ୍ତା ଅବରୋଧ କରିଥିବାର ସୂଚନା ମିଳିଛି ।