କଟକ (ଏଟିଆର ବ୍ୟୁରୋ): ଚଳିତ ବର୍ଷ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏବର୍ଷ ୫ଲକ୍ଷ ୬୦ ହଜାର ୮୯୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ସେମାନଙ୍କ ପାଇଁ ମୋଟ ୨୮୮୮ଟି ପରୀକ୍ଷା କେନ୍ଦ୍ର ଧାର୍ଯ୍ୟ କରାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ୩୦୭ଟି ନୋଡାଲ ସେଣ୍ଟର କରାଯାଇଥିବା ବେଳେ ୨୨ଟି ପୁଲିସ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ହୋଇଛି ।
ଏହାସହ ୧ହଜାର ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯିବା କାର୍ଯ୍ୟ ଆରମ୍ଭ କରାଯାଇଛି । ପରୀକ୍ଷାକୁ ସୁଚାରୁରୂପେ ସମ୍ପାଦନ ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ସୁପରିଟେଣ୍ଡଟଣ୍ଟ ଓ ନୋଡାଲ ଇନଚାର୍ଜଙ୍କୁ ୪ରୁ ୧୨ ତାରିଖ ମଧ୍ୟରେ ତାଲିମ ଦିଆଯିବ । ମାଧ୍ୟମିକ ଶିକ୍ଷା ବୋର୍ଡ ନୋଡାଲ ସେଣ୍ଟର ଗୁଡିକରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରିବ ବୋଲି ସୂଚନା ମିଳିଛି । ଆସନ୍ତା ୮ତାରିଖରେ ଓଏମଆର ଉପସ୍ଥାନ ସିଟ ଓ ଆଡମିଟ କାର୍ଡ ସ୍କୁଲ ଗୁଡିକୁ ପଠାଯିବ । ତେବେ ଏହାର ପୂର୍ବଦିନ ଅର୍ଥାତ ୭ରେ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହେବ । ବୋର୍ଡ ପକ୍ଷରୁ ପରୀକ୍ଷା ସୁପରିଚାଳନା କରିବା ପାଇଁ ପୁଲିସ ଡିଜି, ଆରଡିସି, ସମସ୍ତ ଜିଲ୍ଲାପାଳ ଓ ସମସ୍ତ ଏସପିଙ୍କ ସହାୟତା ମଗାଯାଇଛି ।