ବ୍ରହ୍ମପୁର (ଏଟିଆର ବ୍ୟୁରୋ): ଏବେ ପୁଣି ଥରେ କାୟା ମେଲାଉଛି କରୋନା । ବୃଦ୍ଧି ହେଉଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କଠୋର ହୋଇଛି ବ୍ରହ୍ମପୁର ମହାନଗର ନିଗମ । ସହରରେ ଏବେ କଡାକଡି ଭାବେ ପାଳନ କରାଯିବ କରୋନା ନିୟମ । ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଦଣ୍ଡିତ ମଧ୍ୟ କରାଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ଜାରି ହୋଇଥିବା ଗାଇଡଲାଇନ ମୁତାବକ, ଦୋକାନୀମାନେ ସେମାନଙ୍କ ଦୋକାନ ସାମ୍ନାରେ ନୋ ମାସ୍କ ନୋ ଏଣ୍ଟ୍ରି, ନୋ ମାସ୍କ ନୋ ଗୁଡ୍ସ ର ଫଳକ ଲଗାଇବେ । ବିନା ମାସ୍କରେ ଦୋକାନ, ବଜାର , ଅନୁଷ୍ଠାନରେ କର୍ମଚାରୀଙ୍କୁ ପ୍ରବେଶ ନିଷେଧ । ମାସ୍କ ପିନ୍ଧିନଥିବା ଗ୍ରାହକଙ୍କୁ ଜିନିଷ ଦିଆଯିବ ନାହିଁ । ସେହିପରି ପ୍ରେଟ୍ରୋଲ ପମ୍ପରେ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ବିନା ମାସ୍କରେ ପେଟ୍ରୋଲ ଦିଆଯିବନାହିଁ ।
ଏହାସହିତ ସମସ୍ତ ସ୍ଥାନ ଯେପରିକି ବଜାର, ମନ୍ଦିର, ପାର୍କ, ଜିମ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଆଦି ମାନଙ୍କରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହାବ୍ୟତିତ ବାହାରେ ଛେପ ମଧ୍ୟ ପକାଇ ପାରିବେନି ।