ଭଦ୍ରକ ( ଏଟିଆର ବ୍ୟୁରୋ): ଓଡିଶାରେ ଗତ ୪ ଦିନ ହେଲା ପରିସ୍ଥିତି ଭଲ ରହିଛି । ଗତ ୪୮ ଘଣ୍ଟା ପର୍ଯ୍ୟନ୍ତ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ଗତକାଲି ବାଲେଶ୍ୱରରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହା ଫଳରେ ରାଜ୍ୟରେ ପଜିଟିଭ ସଂଖ୍ୟା ୬୧ ରେ ପହଞ୍ଚିଛି । ସେହିଭଳି ଗତକାଲି ଭୁବନେଶ୍ୱରରୁ ୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଭଦ୍ରକରେ ମଧ୍ୟ କଟକଣା କୋହଳ ହୋଇଛି । ୨ କଣ୍ଟେନମେଣ୍ଟ ଜୋନରେ କଟକଣା କୋହଳ କରାଯାଇଛି । ଏନେଇ ଏକ ଟ୍ୱିଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।
ସୂଚନାଯୋଗ୍ୟ ଭଦ୍ରକରୁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପୁରୁଣାବଜାର, ଚରମ୍ପା ଓ ଏରେଇଁ ପଞ୍ଚାୟତକୁ ଏପ୍ରିଲ୍ ୬ତାରିଖରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଏଥିସମେତ ଏହି ସମସ୍ତ ଅଞ୍ଚଳକୁ ସିଲ୍ କରାଯାଇଥିଲା। ପରେ ଏହି ୩ଜଣ ପଜିଟିଭିଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହେଵା ପରେ ଏପ୍ରିଲ୍ ୧୫ ତାରିଖରେ ପୁରୁଣା ବଜାର ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍ ହଟେଇ ଦିଆଯାଇଥିଲା । ଏବେ ଚରମ୍ପା ଅଞ୍ଚଳ ଓ ଏରେଇଁ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ମୁକ୍ତ କରାଯାଇ କଟକଣା ସାମାନ୍ୟ କୋହଳ କରାଯାଇଛି ।