ଭୁବନେଶ୍ୱର( ଏଟିଆର ବ୍ୟୁରୋ) : ଆଜି ହେଉଛି ଓଡିଶାର ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୧୯୪୮ ମସିହାଠାରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖକୁ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଇଥାଏ । ୧୯୪୮ ମସିହାରେ ଭୁବନେଶ୍ୱରକୁ ରାଜ୍ୟର ରାଜଧାନୀ ଭାବେ ଗଠିତ କରାଯାଇଥିଲା । ଦୁଇ ହଜାର ମସିହା ତଳର ଏହି ନଗରୀକୁ ତୋଳିବାର ନକ୍ସା ତିଆରି କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର ଅଟୋଏକ୍ସ ବର୍ଗର । ୧୯୪୮ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହାକୁ ପ୍ରତିଷ୍ଠା କରିଥିଲେ । ପ୍ରାଥମିକ ସ୍ତରରେ ୧୬.୪୮ ବର୍ଗ କିଲୋମିଟର ଅଞ୍ଚରେ ମୋଟ ୪୦ ହଜାର ଲୋକ ରହିବା ପାଇଁ ଏହାର ନକ୍ସା ତିଆରି କରାଯାଇଥିଲା ।
୧୯୫୧ ଜନ ଗଣନା ଅନୁସାରେ ସେତେବେଳର ଜନସଂଖ୍ୟା ରହିଥିଲା ୧୬, ୫୧୨ । ଭୁବନେଶ୍ୱରରେ ୬ ଟି ୟୁନିଟ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ବିଜ୍ଞାପିତ ଅଞ୍ଚଳ ହେବା ସେହି ନକ୍ସାରେ ଥିଲା । ଏହି ଯୋଜନାକୁ “ ଓଡିଶା ସହର ଯୋଜନା ଆଇନ ୧୯୫୬’’ ଅନୁସାରେ କାର୍ଯ୍ୟକାରୀ କରାଯାଇଥିଲା । ତା ସହିତ ଭୁବନେଶ୍ୱର ପାଇଁ ଜଣେ ଯୋଜନା ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲା । ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା କରିବା ପାଇଁ ପ୍ରଥମେ ୧୯୩୩ ରେ ଉଦ୍ୟମ ହୋଇଥିଲା । ୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ପ୍ରତିଷ୍ଠା ହେବା ପରେ ନୂଆ ରାଜଧାନୀ ପ୍ରତିଷ୍ଠା ପାଇଁ ମତ ପ୍ରକାଶ ପାଇଥିଲା । ସେତେବେଳ କଟକ , ଅନୁଗୁଳ , ଖୋର୍ଧା, ବ୍ରହ୍ମପୁରରେ ରାଜଧାନୀ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଆସିଥିଲା ।
କିନ୍ତୁ ପରେ ହରେକୃଷ୍ଣ ମହାତାବ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଯାହା ଗୃହିତ ହୋଇଥିଲା । ପରେ ଜନସଂଖ୍ୟା ବୃଦ୍ଧି ହେବା ପରେ ଭୁବନେଶ୍ୱର ମୁନିସପାଲଟି ଗଠନ କରାଯାଇଥିଲା । ପରେ ପୁଣି ଭୁବନେଶ୍ୱର ମୁନିସପାଲଟି ସହ ଖୋର୍ଧା, ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ନେଇ “ ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା ଗଠନ କରାଗଲା । ପରବର୍ତ୍ତୀ ସମୟରେ ମୁନିସପାଲ କର୍ପୋରେସନ ଓ ସନ୍ନିକଟ ଗାଁ ଗୁଡିକୁ ନେଇ ଭୁବନେଶ୍ୱର ଉନ୍ନୟନ ସଂସ୍ଥା ( ବିଡିଏ) ଗଠନ କରାଗଲା ।