ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦୁଇଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ତାଙ୍କ ପତ୍ନୀ ଓ ଝିଅ ମଧ୍ୟ ଏହି ଗସ୍ତରେ ସାମିଲ ହୋଇଛନ୍ତି । ଭାରତର ପ୍ରଥମ ମହିଳା ସବିତା କୋବିନ୍ଦ ଓ ତାଙ୍କ ଝିଅ ଶ୍ୱେତା କୋବିନ୍ଦ ଆଜି ଅପରାହ୍ନ ସମୟରେ ଲିଙ୍ଗରାଜ ମହାପ୍ରଭୁଙ୍କର ଦର୍ଶନ କରିଛନ୍ତି । ଆଜି ଅପରାହ୍ନ ୨ଟା ୫୦ମିନିଟ ସମୟରେ ଲିଙ୍ଗରାଜ ମନ୍ଦିର ମଧ୍ୟକୁ ଉଭୟ ସବିତା କୋବିନ୍ଦ ଓ ତାଙ୍କ ଝିଅ ଶ୍ୱେତା କୋବିନ୍ଦ ପ୍ରବେଶ କରିଥିଲେ ।
ମନ୍ଦିର ମଧ୍ୟରେ ଉଭୟ ପାଖାପାଖି ୨୫ ମି. ସମୟ ଅତିବାହିତ କରିଥିଲେ । ମନ୍ଦିର ପରିସରରେ ପ୍ରଭୁ ଲିଙ୍ଗରାଜ, ଦେବୀ ପାର୍ବତୀ, ଭଗବାନ ସିଦ୍ଧିବିନାୟକ, ଦେବୀ ଭୁବନେଶ୍ୱରୀଙ୍କ ଦର୍ଶନ କରିବା ସହ ଆର୍ଶୀବାଦ ନେଇଥିଲେ । ତେବେ ଦର୍ଶନ ଛାଡି ବାହାରକୁ ଆସି ଏତେ ସଂଖ୍ୟକ ଦର୍ଶକଙ୍କ ଭିଡକୁ ଦେଖି ରାଷ୍ଟ୍ରପତିଙ୍କ ପତ୍ନୀ ଦୁଃଖ ପ୍ରକାଶ କରିଥିଲେ । ଭାରତର ପ୍ରଥମ ମହିଳା ସବିତା କୋବିନ୍ଦ କହିଥିଲେ, ମୋ ପାଇଁ ଏତେ ସଂଖ୍ୟାରେ ଦର୍ଶକଙ୍କୁ ବାହାରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିଥିବାରୁ ମୁଁ ଦୁଃଖୀତ । ମୋ ପାଇଁ ଦର୍ଶକ ଏତେ କଷ୍ଟ ପାଇଥିବାରୁ ମୁଁ ସମସ୍ତକୁ କ୍ଷମା ମାଗୁଛି ।