ବିଜେପୁର( ଏଟିଆର ବ୍ୟୁରୋ): ଗତ ୪ ମାସ ହେଲା ନିର୍ବାଚନ ସରିବା ପରେ ରାଜ୍ୟରେ ନିର୍ବାଚନ ମାହୋଲ ଟିକେ ଥଣ୍ଡା ହୋଇ ଆସୁଥିବା ବେଳେ ଏବେ ପୁଣି ବିଜେପୁର ଉପନିର୍ବାଚନ ପାଇଁ ପାଗ ଭିଡିଲେଣି ତିନି ରାଜନୈତିକ ଦଳ । ବିଜେପୁର ଉପ ନିର୍ବାଚନରେ କିଏ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଆରମ୍ଭ ହୋଇଛି ଟଣା ଓଟରା । କିଏ କହୁଛି ବିଜେଡି ସେଠାରେ ପୁଣି ରୀତା ସାହୁଙ୍କୁ ରିପିଟ କରିବ ତ ପୁଣି ଆଉ କାହାଠାରୁ ଶୁଣିବାକୁ ମିଳୁଛି ଗତ ନିର୍ବାଚନରେ ବିଜେପିରୁ ଆସି ବିଜେଡିରେ ଯୋଗ ଦେଇଥିବା ସୁବାସ ଚୌହାନଙ୍କୁ ବିଜେଡି ପ୍ରାର୍ଥୀ କରିବ । ଏସବୁ ଭିତରେ କିନ୍ତୁ ଆଉ ଗୋଟେ ନୂଆ କଥା ଉପର ମୁଣ୍ଡରେ ଖେଳ ହୋଇଥିବା ଚର୍ଚ୍ଚା ହେଉଛି ।
ଏଇ ନିକଟରେ ସୁବାସ ଚୌହାନଙ୍କୁ ପଶ୍ଚିମ ଓଡିଶା ବିକାଶ ପାରିଷଦର ଅଧ୍ୟକ୍ଷ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯାହା ପୁରା ବିଜେପୁର ପାଣିପାଗ ବଦଳାଇ ଦେଇଛି । କୁହାଯାଉଛି ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ତଥା ପୁର୍ବତନ ବିଧାୟିକା ରୀତା ସାହୁଙ୍କୁ ଥଇଥାନ କରିବା ପାଇଁ ନବୀନ ଏମିତି ଗୋଟି ଚାଳନା କରିଛନ୍ତି । ଚଳିତ ନିର୍ବାଚନରେ ନବୀନ ସେଠାରୁ ପାର୍ଥୀ ହେବାରୁ ବିରୋଧୀ ନାନା ସମାଲୋଚନା କରିଥିଲେ । ଉପ ନିର୍ବାଚନରେ ଜିତିବା ପାଇଁ ବିଜେଡି ରୀତାଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ମାରିଥିବା ଚର୍ଚ୍ଚା ମଧ୍ୟ ହୋଇଥିଲା । ଯାହାର ଜବାବ ରଖିବାକୁ ଏମିତି ନିଷ୍ପତ୍ତି ନେଉଛି ବିଜେଡି ।
ଅନ୍ୟପଟେ ଗତ ଅଠର ତାରିଖରେ ବିଜେଡି ବିଜେପୁର ପାଇଁ କମିଟି ଗଠନ କରିଛି । କମିଟିରେ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ , ସଂଜୟ ଦାସବର୍ମା ଆଦି ୪ଜଣ ନେତା ରହିଛନ୍ତି । ସୂଚନାଯୋଗ୍ୟ ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଂଜିଳି ଓ ବିଜେପୁର ଦୁଇଟି ଆସନରୁ ବିଜୟୀ ହୋଇଥିଲେ । ପୂର୍ବରୁ ସେଠାରୁ ଉପ ନିର୍ବାଚନ ଜିତି ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଧାୟିକା ହୋଇଥିଲେ । ପରେ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସେଠାରୁ ପାର୍ଥୀ ହୋଇ ବିଜୟ ହୋଇଥିଲେ । ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପାରମ୍ପରିକ ଆସନ ହିଂଜିଳି ଆସନକୁ ହାତରେ ରଖି ବିଜେପୁର ଛାଡିଥିଲେ । ଫଳରେ ପୁଣି ବିଜେପୁର ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ସେହିଭଳି ବିଜେପି ଓ କଂଗ୍ରେସ ସେଠାରେ ପାର୍ଥୀ ଦେବାକୁ ଅଙ୍କକଷା ଆରମ୍ଭ କରିଛନ୍ତି ।