ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ସନ୍ଦେହରେ ବିଜେପୁର । ନବୀନ ବିଜେପୁର ରଖିବେ ନାଁ ଛାଡିବେ । ବିଜେପୁରରେ ଆଉ ଉପନିର୍ବାଚନ ହେବ ନି ତ? ଏମିତି ଅନେକ କଥା ଏବେ ଶୁଣିବାକୁ ମିଳୁଛି । ଗତକାଲି ବିଜେପୁର ପାଇଁ ନବୀନଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା , ଏମିତି କେତେକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିରୋଧୀ କହିଲେଣୀ ନବୀନ ବିଜେପୁର ଛାଡିବା ପାଇଁ ଏମିତି ପ୍ୟାକେଜ ଘୋଷଣା କରିଛନ୍ତି । ଗତ ନିର୍ବାଚନରେ ନବୀନ ପ୍ରଥମ ଥର ଲାଗି ନିଜ ପାରମ୍ପରିକ ଆସନ ହିଞ୍ଜିଳି ସହିତ ବିଜେପୁରରୁ ନବୀନ ପ୍ରାର୍ଥୀ ହୋଇଥିଲେ । ୨୦୧୭ ମସିହାରେ ଏଠାରେ ସୁବଳ ସାହୁଙ୍କ ମୃତ୍ୟୁପରେ ତାଙ୍କ ପତ୍ନୀ ରୀତା ସାହୁ କଂଗ୍ରେସ ଛାଡି ବିଜେଡି ବାଡି ଧରି ନିର୍ବାଚନ ମୈଦାନକୁ ଓହ୍ଲାଇ ଥିଲେ ।
ସ୍ୱାମୀଙ୍କ ମୃତ୍ୟୁର ଅନୁକମ୍ପା ଓ ନବୀନଙ୍କ ଲୋକ ପ୍ରିୟତାକୁ ପାଥେୟ କରି ରୀତା ବିଧାନସଭା ଯାଇଥିଲେ । ଏଥର କିନ୍ତୁ ବିଜେପୁରରେ ନବୀନ ରୀତାଙ୍କୁ ସେଠାରୁ ପ୍ରାର୍ଥୀ କରି ନଥିଲେ । ନିଜେ ବିଜେପୁରକୁ ନିଜ ହାତରେ ରଖିଥିଲେ । ଏଥର ଦୁଇଟି ଯାକ ଆସନରୁ ବିଜୟ ହୋଇଥିବାରୁ ନବୀନଙ୍କୁ ଗୋଟିଏ ଆସନ ଛାଡିବାକୁ ପଡିବ । ତେବେ ବର୍ତ୍ତମାନ ନବୀନଙ୍କ ଏହି ଘୋଷଣା ପରେ ନବୀନ ବିଜେପୁର ଛାଡି ଦେଇ ପାରନ୍ତି ବୋଲି ଆଲୋଚନା ଜୋର ଧରିଛି ।
କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ପ୍ରତିକ୍ରିୟାରେ ମଧ୍ୟ ନବୀନ ବିଜେପୁର ଛାଡିପାରନ୍ତି ବୋଲି ଆଶଙ୍କା କରିଛନ୍ତି । ସେହିଭଳି ପିସିସି ସଭାପତି ନିରଜଂନ ପଟ୍ଟନାୟକ କହିଛନ୍ତି ପ୍ୟାକେଜ ଘୋଷଣା କରି ନବୀନ ବିଜେପୁରରେ ଉପନିର୍ବାଚନ ଚାହୁଁଥିବା କହିଛନ୍ତି । ତେବେ ଏବେ ନଜର ରହିଲା ନବୀନ କେଉଁ ଆସନ ନିଜ ହାତରେ ରଖିବେ । ବିଜେପୁର ନାଁ ହିଞ୍ଜିଳି ?