ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୪ତମ ଜନ୍ମ ଜୟନ୍ତୀକୁ ଏକ ସପ୍ତାହ ପର୍ଯ୍ୟନ୍ତ ପାଳନ କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦଳୀୟ ମୁଖ୍ୟାଳୟରେ ବିଜେଡିର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ସାମିଲ ହେବା ସହ ମାର୍ଚ୍ଚ ୫ତାରିଖରେ ବିଜୁ ଜୟନ୍ତୀ ପାଳନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ।
ଦଳର ସୁପ୍ରିମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ ଅନୁମୋଦନ ପ୍ରଦାନ କରିବା ପରେ ଜୟନ୍ତୀ ପାଳନ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହେବ ବୋଲି ସୂଚନା ମିଳିଛି । ତେବେ ସାମ୍ବାଦିକ ସମ୍ମୀଳନିରେ ଶ୍ରୀବର୍ମା କହିଛନ୍ତି ଯେ, ବିଜୁବାବୁଙ୍କର ଜନ୍ମ ଜୟନ୍ତୀଙ୍କୁ ବଡ ଆକାରରେ ପାଳନ କରିବା ପାଇଁ ଦଳର ବରିଷ୍ଠ ନେତାଙ୍କ ପକ୍ଷରୁ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦିଆଯାଇଛି । ବିଜୁବାବୁଙ୍କର ଜନ୍ମ ଜୟନ୍ତୀଙ୍କୁ ୭ଦିନ ଧରି ପାଳନ କରାଯାଉଥିବା ବେଳେ ପ୍ରଥମ ଦିନରେ କଟକରେ ଏକ ବଡଧରଣର କାର୍ଯ୍ୟକ୍ରମ କରାଯିବ । ଏହାସହ ବାଲିଯାତ୍ରା ପଡିଆରେ ଦଳୀୟ କର୍ମୀମାନଙ୍କ ସହ ଏକ ବିଶାଳ ସମାରୋହ ପାଳନ କରାଯିବ ।
ଏହି ୭ଦିନ କାର୍ଯ୍ୟକ୍ରମ ମଧ୍ୟରେ ମହିଳା , ଯୁବ, ଓ ଛାତ୍ର ବିଜେଡି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବିଜୁବାବୁଙ୍କର ସାହାସିକତା ସହ ଓଡିଶା ଗଢିବାରେ ତାଙ୍କର ଭୂମିକା ଓ ବଳିଦାନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଯିବ । ଏହାସହ ୨୦ବର୍ଷର ଶାସନକାଳ ମଧ୍ୟରେ ରାଜ୍ୟ ସରକାରଙ୍କର ସମସ୍ତ ସଫଳତା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯିବ । ତେବେ ଏସମସ୍ତ କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ଏହି ବୈଠକରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଦୀପ ପାଣିଗ୍ରାହୀ , ପ୍ରମିଳା ମଲ୍ଲିକ, କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।