ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏମ୍ସରେ ହିନ୍ଦୀ ଭାଷାର ଗୁରୁତ୍ୱକୁ ନେଇ ସ୍ୱର ଉତ୍ତୋଳନ କଲା ବିଜେଡି । ଏମ୍ସରେ ଇଂରାଜୀ ବ୍ୟତୀତ ହିନ୍ଦୀ ଭାଷାର ଅଧିକ ପ୍ରଚଳନ ନେଇ କର୍ମଚାରୀଙ୍କୁ ହୋଇଥିବା ନିର୍ଦେଶ ନାମାକୁ ବିରୋଧ କରି ଏହି ବିରୋଧ କରାଯାଇଛି । ପୁରୀର ସାଂସଦ ପିନାକୀ ମିଶ୍ର ପ୍ରଥମେ ଏହାକୁ ନେଇ ସ୍ୱର ଉଠାଇଛନ୍ତି ।ଏହି ଅବସରରେ ଲୋକସଭା ସାଂସଦ ଅନୁଭବ ମହାନ୍ତି, ରାଜ୍ୟସଭା ସାଂସଦ ଅମର ଶତପଥି, ସସ୍ମିତ ପାତ୍ର , ସରୋଜୀନି ହେମରମ ପ୍ରମୁଖ ଏମ୍ସ ଗସ୍ତ କରି ଏମ୍ସ କତ୍ତୃପକ୍ଷଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସେହିଭଳି ଆଉ ଏକ ସ୍ମାରକପତ୍ର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ନିକଟକୁ ପଠାଇଛନ୍ତି ।
ସୂଚନାଯୋଗ୍ୟ ହିନ୍ଦୀ ଭାଷା ପ୍ରଚଳନ ପାଇଁ କେନ୍ଦ୍ର ସରକାରଙ୍କ ସରକାରୀ ଭାଷା ଅଧିନିୟମ ୧୯୭୬ ଅନୁଯାୟୀ ମେଡକାଲ କର୍ମଚାରୀ ଅଧିକ ମାତ୍ରାରେ ହିନ୍ଦୀ ଭାଷାର ବ୍ୟବହାର ସହିତ ହିନ୍ଦୀ ଭାଷାରେ ଚିଠିପତ୍ର ଲେଖିବାକୁ ନିର୍ଦେଶ ଜାରି ହୋଇଛି । ଆହୁରି ମଧ୍ୟ କୁହାଯାଇଛି ଯେଉଁ କର୍ମଚାରୀମାନେ ହିନ୍ଦୀ ଭାଷା ଜାଣିଛନ୍ତିି ସେମାନେ ଇଂରାଜୀ ବ୍ୟତୀତ ହିନ୍ଦୀ ଭାଷା ବ୍ୟବହାର କରିବାକୁ । ଅନ୍ୟପଟେ ଏବେ ଏହାକୁ ନେଇ ବିରୋଧୀ ମଧ୍ୟ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କାହିଁକି ଓଡିଆ କହୁନାହାନ୍ତି ବୋଲି ବିଜେପି ପାଲଟା ପ୍ରଶ୍ନ କରିଛି ବିଜେଡିକୁ । ରାଜ୍ୟରେ ଯଦି ଶାସନ ଇଂରାଜୀରେ ଚାଲୁଛି ତେବେ ଏମ୍ସରେ ହିନ୍ଦୀ ବ୍ୟବହାର କଲେ ଅସୁବିଧା କୋଉଠି ରହିଲା ବୋଲି ବିଜେପି ପ୍ରଶ୍ନ କରିଛି ।