ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦିନିକିଆ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । କଟକ ଜିଲ୍ଳାର ମାହାଙ୍ଗା ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ୍ କୁଳିଆ ଆରଏମସି ପଡିଆରେ ଅବିଭକ୍ତ କଟକ ଜିଲ୍ଲାର ୪ଟି ଜିଲ୍ଲା ଯଥା କଟକ, କେନ୍ଦ୍ରାପଡା, ଯାଜପୁର ଓ ଜଗତସିଂହପୁରର ବିଜେପି ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କୁ ନିର୍ବାଚନ ନେଇ ମନ୍ତ୍ର ଦେବେ ।ଏହି କାର୍ଯ୍ୟକ୍ରମରେ ୭୦ହଜାର କର୍ମୀ ଯୋଗ ଦେବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ତେବେ ଓଡ଼ିଶାରେ ମୋଦିଙ୍କ ସ୍ୱର ନରମି ଯାଇଥିବା ବେଳେ କ’ଣ ରହିବ ଅମିତ ଶାହାଙ୍କ ଆଭିମୁଖ୍ୟ? ତା ଉପରେ ଆଜି ସମସ୍ତଙ୍କ ନଜର ରହିଛି ।ତେବେ ଏଥର ସମ୍ମିଳନୀରେ କଣ କହିବେ ଶାହା ? ଗର୍ଜିବେ ନା ନରମିବେ ? ଗତ ୩ଟି ଗସ୍ତରେ ନବୀନଙ୍କ ବିରୋଧରେ ମୋଦିଙ୍କ ସ୍ବର ନରମ ରହିଥିବା ବେଳେ ରାହୁଲ ଗାନ୍ଧି କିନ୍ତୁ ବିଜେପି-ବିଜେଡିକୁ ଜୋରଦାର ନିଶାନା ସାଧିଛନ୍ତି ।
ଏବେ ବିଜେପି ଫୋକସରେ ଓଡିଶା । ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ରାଜନୈତିକ ଦଳଗୁଡିକ ମଧ୍ୟରେ ସେତିକି ତତ୍ପରତା ପ୍ରକାଶ ପାଉଛି । ବିଶେଷ କରି ଓଡିଶା ରାଜନୀତିରେ କେନ୍ଦ୍ରୀୟ ନେତାଙ୍କ ଭୂମିକା ବଢୁଛି । ଗତ କିଛି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଥର ଓଡିଶା ଗସ୍ତରେ ଆସି ସାରିଛନ୍ତି । ଆଉ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତି ଶାହାଙ୍କ ପାଳି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗତ ୧୮ ତାରିଖରେ ଶାହାଙ୍କ ଓଡିଶା ଗସ୍ତ ବାତିଲ ହୋଇଥିବା ବେଳେ ଆଜି ଓଡ଼ିଶା ଆସୁଛନ୍ତି ।ସ୍ୱାଇନଫ୍ଲୁ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ଶାହା । ଏଣୁ ତାଙ୍କର ୧୮ ତାରିଖ ଗସ୍ତକୁ ବାତିଲ କରାଯାଇଥିଲା । ସୁସ୍ଥ ହୋଇ ଘରକୁ ଫେରିବା ପରେ ୨୯ ତାରିଖରେ ଓଡିଶା ଆସିବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଥିଲା ।
ସେପଟେ ଶାହ ଦେଇଥିବା ଟାସ୍କର ୯୯ ପ୍ରତିଶତ ପୂରଣ ହୋଇଥିବା ବେଳେ ତାଙ୍କ ରଣନୀତି ଅନୁସାରେ କେତେକ ଦଳର ବିଧାୟକ ଓ ପୂର୍ବତନ ବିଧାୟକ ବିଜେପି ଆସିବାକୁ ଦରଖାସ୍ତ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ। ଅନ୍ୟପଟେ ଶାହଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଯୁକ୍ତି ବାଢିଛନ୍ତି ବିରୋଧୀ।
ଉପକୂଳ ଓଡିଶା ସଂଗଠନକୁ ମଜଭୁତ୍ କରିବା ପାଇଁ ନିଜେ ଦାୟିତ୍ୱ ନେଇଛନ୍ତି ଅଧ୍ୟକ୍ଷ ଅମିତ ଶାହା । ଆଗାମୀ ନିର୍ବାଚନରେ କେମିତି ଦଳକୁ ସଫଳତା ମିଳିବ ସେହି ପ୍ରଚେଷ୍ଟାରେ ଲାଗି ପଡ଼ିଛନ୍ତି । ୨୦୧୯ ନିର୍ବାଚନରେ ଓଡ଼ିଶାରେ ବିଜେପି ବୃହତ ବିଜୟ ହାସଲ କରିବ ବୋଲି ପୂର୍ବରୁ ଶାହ କହିଥିବା ବେଳେ କାର୍ୟ୍ୟକର୍ତ୍ତାଙ୍କୁ ୧୨୦+ ମିଶନର ଟାକ୍ସ ଦେଇଥିଲେ ।ତେବେ ଆଜିର କାର୍ଯ୍ୟକ୍ରମ ପରେ ଫେବୃୟାରୀ ୩ତାରିଖରେ ପୁଣି ଓଡିଶା ଆସିବେ ଶାହ । ଏନେଇ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ସୂଚନା ଦେଇଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ବିଜେପିର ନଜର ଓଡିଶା ଉପରେ ରହିଥିବା ସ୍ପଷ୍ଟ ଜଣାପଡ଼ୁଛି ।