ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସିଏଏ ପାରିତ ହେବା ଦିନ ଠାରୁ ଦେଶରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ସହ ହିଂସା ମଧ୍ୟ ଦେଖିବାକୁ ମିଳୁଛି । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଠାରୁ ଆରମ୍ଭ କରି ବିଭିନ୍ନ ବୁନ୍ଧିଜୀବୀଙ୍କ ମଧ୍ୟରେ ଭିନ୍ନଭିନ୍ନ ମତ ପ୍ରକାଶ ପାଉଛି । ଯାହାଫଳରେ ଲୋକମାନ ଏହାକୁ ନେଇ ଦିଗ ହରା ହୋଇ ଯିବା ସହ ଦେଶରେ ବ୍ୟାପକ ହିଂସା ମଧ୍ୟ ଘଟାଉଛିନ୍ତି । ତେବେ ସିଏଏ ଉପରେ ଜନସଚେତନତା ସୃଷ୍ଟି କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ମାସେବ୍ୟାପୀ ଓଡିଶା ସମେତ ସାରା ଦେଶରେ ଜନ ସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଭାରତବର୍ଷର ୩କୋଟି ଏବଂ ଓଡିଶାର ୧ କୋଟି ଲୋକଙ୍କ ସହ ସମ୍ପର୍କ କରି ଏ ବିଷୟରେ ବିଜେପି କର୍ମକର୍ତ୍ତା ଓ ପ୍ରତିନିଧିମାନେ ସଚେତନତା କରାଇବେ । ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଓ ନାଗରିକ ସଂଶୋଧନ ଅଧିନିୟମ ଉପରେ ଆୟୋଜିତ ବିଜେପି ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି ଜିଲ୍ଲା, ରାଜ୍ୟସ୍ତରରେ ଗାଁ, ପଞ୍ଚାୟତ ଓ ସହରମାନଙ୍କରେ ଜନସଭା, ବୁଦ୍ଧିଜୀବୀ ସମ୍ମିଳନୀ ଓ ଶୋଭାଯାତ୍ରା କରାଯାଇ ଏହା ବାବଦରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବ । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଆହୁରୀ ମଧ୍ୟ କହିଛନ୍ତି ସିଏଏ କାହାର ବିରୋଧ କରୁନାହିଁ ବରଂ ୩ଟି ଦେଶର ସଂଖ୍ୟାଲଘୁ ଲୋକଙ୍କୁ ଭାରତ ସହ ଯୋଡିବାର ବ୍ୟବସ୍ଥା କରୁଛି । ଯେଉଁ ଲୋକମାନେ ପଡୋଶୀ ଦେଶ ତଥା ବଙ୍ଗଳାଦେଶ , ପାକିସ୍ତାନ, ଆଫଗାନିସ୍ଥାନରୁ ଧାର୍ମିକ ରୂପେ ନିର୍ଯ୍ୟାତନା ଶିକାର ହୋଇ ଭାରତ ଆସିଥିବା ସେ ଦେଶର ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ଏହି ବିଲ୍ ଦ୍ୱାରା ନାଗରିକତା ପ୍ରଦାନ କରାଯିବ । ତେବେ ବିରୋଧୀ ଦଳ ଯେଉଁ ଗୁଜବ ସୃଷ୍ଟି କରୁଛନ୍ତି ତାହାର କୌଣସି ବି ସତ୍ୟତା ନାହିଁ । ତେଣୁ ସିଏଏକୁ ନେଇ କେହି ଭୟଭିତ ହେବାର ଆବଶ୍ୟକତା ନାହିଁ । ଏହି ବିଲ୍ ଲାଗୁ ହେବା ଦ୍ୱାରା ଭାରତର ଜଣେ ହେଲେ ବି ନାଗରିକ ପ୍ରଭାବିତ ହେବେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।