ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଭାରି ହସଖୁସିରେ ଘରୁ ଆସିଥିଲେ । ମୁହଁରେ ମୁଚୁକୁନ୍ଦିଆ ହସ ସାଙ୍ଗକୁ ହାତରେ ଥିଲା ସୁନା ବେସେଲେଟ । ଉଦ୍ଦେଶ୍ୟ ଥିଲା ଏସିପିଙ୍କୁ ଦେଖା କରି ବାହାଘରକୁ ନିମନ୍ତ୍ରଣ କରିଥାନ୍ତେ । ହେଲେ ସବୁ ବେଙ୍ଗା ହୋଇଗଲା । କାର୍ଡ ଦେବାକୁ ଆସି ପୂରା ଫସିଗଲେ ଯୁବକ । ଯୁବକ ଆଣିଥିବା ସ୍କର୍ପିଓ ଗାଡିଟି କଳାକାଚ ଥିବାରୁ ମାଡ଼ି ବସିଥିଲେ ଖୋଦ ଟ୍ରାଫିକ ଏସିପି । କଳାକାଚ ହଟାଇବା ସହ ୫ଶହ ଟଙ୍କା ଫାଇନ କାଟିଥିଲେ । ଆଉ ଏହାପରେ ହସହସ ମୁହଁରେ ଆସିଥିବା ଯୁବକ ମୁହଁ ଶୁଖାଇ ଘରକୁ ଫେରିଥିଲେ । ଆଜି ସକାଳେ ଏଜି ଛକରେ ଘଟିଥିବା ଏଭଳି ଏକ ଘଟଣା ଅନେକଙ୍କୁ ହସାଇ ହସାଇ ବେଦମ କରିଥିଲା । ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ କଥା ବିଚରା କାର୍ଡ ଦେବା ହେଲା କାଳ ।
ରିପୋର୍ଟ ଅନୁସାରେ, ସକାଳୁ ସକାଳୁ ଏକ ଯୁବକ ସ୍କର୍ପିଓ ଗାଡି ନେଇ ଟ୍ରାଫିକ୍ ଏସିପି ଅନୁପ କାନୁନଗୋଙ୍କୁ ଦେଖା କରିବାକୁ ଆସିଥିଲେ । ବାହାଘର ପାଇଁ ନିମନ୍ତ୍ରଣ କରିବା ଲାଗି ଏସିପିଙ୍କୁ କାର୍ଡ ଦେଉଥିବା ବେଳେ ଅଚାନକ ଏସିପିଙ୍କ ନଜର ପଡିଥିଲା ଗାଡିଟି ଉପରେ । ବାସ ଏହାପରେ କାହିଁକି କଳାକାଚ ଲଗାଇଛ ବୋଲି ପ୍ରଶ୍ନ କରିଥିଲେ ଅନୁପ କାନୁନଗୋ । ଏସିପିଙ୍କ ପ୍ରଶ୍ନରେ ଘାବରେଇ ଯାଇଥିଲେ ଯୁବକ ଜଣଙ୍କ । କିଛି ବୁଝିବା ପୂର୍ବରୁ ଅଚାନକ ଏସିପି କଳାକାଚ ହଟାଇବା ଲାଗି କେତେକ କନଷ୍ଟେବଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ସଙ୍ଗେ ସଙ୍ଗେ ଗାଡିରୁ କଳାଜରି ହଟାଯାଇଥିଲା । କେବଳ ଏତିକି ନୁହେଁ ଏହାରି ଭିତରେ ଯୁବକ ଜଣଙ୍କ ଯେତେ ବି ନେହୁରା ହୋଇଥିଲେ କିଛି ଶୁଣିନଥିଲେ ଏସିପି । ବାସ ମୁହଁରୁ ବାହାରିଥିଲା ଗୋଟିଏ କଥା କାର୍ଡ ପଛେ ଦେବ ହୋ ଆଗ କଳାଜରି ହଟା ।