ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତକାଲିଠାରୁ ବିଏମସି ଓ ବିଡିଏ ପକ୍ଷରୁ ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପ ସିଲ ଅଭିଯାନ ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ବିଏମସି ଓ ବିଡିଏ ୭ ଟି ମଣ୍ଡପ ସିଲ କରିଛି । ଖଣ୍ଡଗିରି କୋଳଥିଆରେ ଥିବା ଶ୍ରୀସାଇ ଗାର୍ଡ଼େନ୍ ମଣ୍ଡପ, ବରମୁଣ୍ଡାରେ ହୋଟେଲ୍ ଚନ୍ଦନ ବିବାହ ମଣ୍ଡପ, ସହିଦ ନଗରରେ ପାଲାଡିୟମ କୋଟେୟାର୍ଡ଼, ପଟିଆରେ ଋଷି ରିସୋର୍ଟ, ଜନତା ମଇଦାନ ପାଖରେ ଥିବା ନୀଳକଣ୍ଠ ଲାଇବ୍ରେରୀ ସାଇନ୍ସ ମଣ୍ଡପ, ଗଜପତି ନଗର ଜେ.ବି.ମଣ୍ଡପ ଭଳି ୭ଟି ବେଆଇନ୍ କଲ୍ୟାଣ ମଣ୍ଡପକୁ ସିଲ୍ କରିଛି ବିଏମସି ।
ସୂଚନା ଯୋଗ୍ୟ ଭୁବନେଶ୍ୱରରେ ଥିବା କିଛି କଲ୍ୟାଣମଣ୍ଡପ ବିଲ୍ଡିଂ ପ୍ଲାନିଂ ହୋଇନଥିବା, ପାର୍କିଂ ସୁବିଧା ନଥିବା ଓ ଟିକସ୍ ଦେଉନଥିବା ଜଣାପଡିଛି । ଏହି କାରଣରୁ ବିଏମସି ଓ ବିଡିଏ ପକ୍ଷରୁ ୩ଟି ଜୋନରେ ଥିବା ୮୦ଟି କଲ୍ୟାଣ ମଣ୍ଡପ ସିଲ୍ କରିବାକୁ ଚିହ୍ନଟ କରାଯାଇଛି । ସିଲ୍ କରିବା ପୂର୍ବରୁ ଏହି ମଣ୍ଡପ ଗୁଡିକୁ ତ୍ରୁଟି ସଜାଡିବା ପାଇଁ ଜାନୁୟାରୀ ୩୧ ତାରିଖ ପର୍ୟ୍ୟନ୍ତ ସମୟ ଦିଆଯାଇଥିଲା ।କେଉଁଦିନ କେଉଁ କଲ୍ୟାଣ ମଣ୍ଡପ ସିଲ କରାଯାଉଛି ତାହାର ତାଲିକା ପ୍ରସ୍ତୁତ କରି ବିଏମସି କମିଶନରଙ୍କ ନିକଟରେ ଦାଖଲ କରିବେ ଜୋନାଲ ଡେପୁଟି କମିଶନର ।